ମାଲକାନଗିରିରେ କାଳ ବୈଶାଖୀ ତାଣ୍ଡବ

ମାଲକାନଗିରି: ଉଡ଼ାଇଲା ଛାତ, ଭାଙ୍ଗିଲା ଗଛ । ମାଲକାନଗିରି ଜିଲ୍ଲାରେ ତାଣ୍ଡବ ରଚିଲା କାଳ ବୈଶାଖୀ । ଜିଲ୍ଲାର ମାଥିଲି ବ୍ଲକ ପୁଜାରୀଗୁଡାରେ ବ୍ୟାପକ କ୍ଷତି ଘଟାଇଛି ଏହି ଅଦିନିଆ ବର୍ଷା ଓ ପବନ । କୁଆଡେ ଥିଲା ମଧ୍ୟାହ୍ନରେ ମାଡି ଆସିଲା ଭୀଷଣ ପବନ । ପୁଜାରୀଗୁଡା ସମେତ ଟିଲିଗୁଡା, ଚାଲାଣଗୁଡା, ପେଦାଗୁଡା ଆଦି ଗାଁରେ କାଳ ବୈଶାଖୀ ପ୍ରଭାବରେ ଅନେକ ଘର ଭାଙ୍ଗି ଯାଇଛି । ଲୋକଙ୍କ ଆଜବେଷ୍ଟସ ଉଡାଇ ନେଇଛି ପବନ । ଗଛ ଉପୁଡି ପଡି ରାସ୍ତା ଅବରୋଧ ହୋଇଛି । ଅଗ୍ନୀଶମ ବାହିନୀ ପହଞ୍ଚି ରାସ୍ତାରୁ ଗଛ କାଟି ସଫା କରିଛନ୍ତି । ସେପଟେ ସୁନାବେଡା ଓ ସିମିଳିଗୁଡା ଅଂଚଳରେ ବର୍ଷା ସାଙ୍ଗକୁ ପବନ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପ୍ରବଳ କୁଆପଥର ସହ ବର୍ଷା ହୋଇଥିଲା ।

ପ୍ରବଳ ଗରମ ପରେ କୁଆପଥର ବର୍ଷା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ଏନେଇ ପୂର୍ବରୁ ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ । ଖାଲି ଏହି ଦୁଇ ଜିଲ୍ଲା ନୁହେଁ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ପାଇଁ ୨୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ଦିଆଯାଇଛି । ଏହି ବର୍ଷା ପ୍ରଭାବରେ ସ୍ବାଭାବକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ । ଆସନ୍ତା ୨୪ ତାରିଖରୁ ପୁଣି ପାଗରେ ପରିବର୍ତ୍ତନ ଆସିବ ବୋଲି ସୂଚନା ଦେଇଛି । ଅଧିକାଂଶ ଜିଲ୍ଲାରେ ୪୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ସେପେଟେ ଆଜି ୧୦ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ୪୨. ୫ ଡିଗ୍ରୀ ସହ ସୋନପୁର ପୁଣି ରାଜ୍ୟର ସବୁଠାରୁ ଉତପ୍ତ ସହର ରହିଛି ।