ପ୍ରଚାର ବେଳେ ଲାେକଙ୍କୁ ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ: ଭିଡିଓ ଭାଇରଲ୍

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ । ପ୍ରଚାର ବେଳେ ଭୋଟରଙ୍କ ହାତରେ ଧରାଇ ଦେଉଛନ୍ତି ୫ ଶହ ଟଙ୍କିଆ ନୋଟ୍‌ । ପକେଟରେ ବି ଧରିଛନ୍ତି ବିଡ଼ା ବିଡ଼ା ଟଙ୍କା । ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଠେମେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ । ଯାହାର ଭିଡିଓ ମଧ୍ୟ ଏବେ ସୋସିଆଲ ମଡିଆରେ ଭାଇରାଲ ହୋଇଛି । ଏପରକି ନିଜ ହ୍ୱାଟସ୍‌ଆପ୍ ଷ୍ଟାଟସ୍‌ରେ ପ୍ରଚାର ଓ ଟଙ୍କା ବାଣ୍ଟିବାର ଭିଜୁଆଲ ସେୟାର କରିଛନ୍ତି ଲକ୍ଷ୍ମୀକାନ୍ତ ।

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ହେଁ ଆଦର୍ଶ ଆଚରଣ ବିଧିକୁ ଜଳାଞ୍ଜଳି ଦେଇ ଟଙ୍କା ବାଣ୍ଟିଛନ୍ତି ଲକ୍ଷ୍ମୀକାନ୍ତ । ପୂର୍ବରୁ ମଧ୍ୟ ପିସି କାରବାରକୁ ନେଇ ଲକ୍ଷ୍ମୀକାନ୍ତ ବିବାଦ ଘେରରେ ଥିଲେ । ତାଙ୍କ ସ୍ତ୍ରୀ ସରପଞ୍ଚ ଥିବା ବେଳେ ଲକ୍ଷ୍ମୀକାନ୍ତ ବିରୋଧରେ ଅନେକ ଅନିୟମିତତା ଅଭିଯୋଗ ଆସିଥିଲା  ।

ମନରେଗା କାମ ବାବଦକୁ ଠିକାଦାର ଠାରୁ ଲକ୍ଷ୍ମୀକାନ୍ତ ୩୦ ହାଜର ଟଙ୍କା ପିସି ନେଉଥିବା ଭିଡିଓ ଭାଇରାଲ ହୋଇଥିଲା  । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ଚାଲିଥିବା ବେଳେ, ଚଳିତ ନିର୍ବାଚନ ଠେମେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଲକ୍ଷ୍ମୀକାନ୍ତ । ତେବେ ପୁଣି ଖୁଲମଖୁଲା ଟଙ୍କା ବାଣ୍ଟୁଥିବାରୁ ନିର୍ବାଚନରେ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ସେପଟେ ଏନେଇ ଲକ୍ଷ୍ମୀକାନ୍ତଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।

 

ଏଥିସହିତ ପଢ଼ନ୍ତୁ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ସମିତ୍ୟ ସଭ୍ୟ ନେଇ ପ୍ରାର୍ଥୀ ହୋଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ

Leave a Reply