spot_img

Latest Posts

ଟ୍ବିନସିଟିରେ ଖୋଲିବ ୩ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଥାନା

ଭୁବନେଶ୍ବର: ଟ୍ବିନସିଟିରେ ଅପରାଧ ନିୟନ୍ତ୍ରଣ ପାଇଁ ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ । ଅପରାଧ ଭିଆଇବା ଆଗରୁ ୧୦୦ ଥର ଚିନ୍ତା କରିବେ ଅସାମାଜିକ ବ୍ୟକ୍ତି । କଟକ-ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି ୩ଟି ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା । ବାଜିଲା ମୁଖ୍ୟମନ୍ତ୍ରୀଙ୍କ ମୋହର । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଲେ ସୂଚନା ।

ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସନ୍ଧାନ କରି ପଦକ୍ଷେପ ନେବେ । ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ କରିବ । ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ ଜଣ ଇନ୍‌ସପେକ୍ଟର, ୧୨ ଜଣ ସବ୍‌ଇନିସ୍‌ପେକ୍ଟର, ୩ ଜଣ ଏଏସ୍‌ଆଇ (ଯୋଗାଯୋଗ), ୩ ଜଣ କନେଷ୍ଟବଳ (ଯୋଗାଯୋଗ) ଓ ୨୭ ଜଣ କନେଷ୍ଟବଳ,  ଏହିପରି ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ଯ୍ୟ କରିବ।

ସେହିପରି କମିଶନରେଟ୍‌ ପୋଲିସ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ପାଇଁ ଏହି ଅଞ୍ଚଳରେ ୩ଟି ନୂତନ ଥାନାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପାହାଳ, ଇନ୍‌ଫୋଭାଲି ଓ ବୟାଳିଶମୌଜା/ବେଣ୍ଟକାରରେ ଖୋଲିବ ଏହି ଥାନା । ବାଲିଅନ୍ତା ଥାନା ଅଧୀନରେ କାମ କରୁଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ କାମ କରୁଥିବା ଇନ୍‌ଫୋଭାଲି ଫାଣ୍ଡି ଓ କଟକ ସଦର ଥାନା ଅଧୀନରେ କାମ କରୁଥିବା ବେଣ୍ଟକାର ଫାଣ୍ଡିକୁ ଉନ୍ନୀତ କରାଯାଇ ଏହି ୩ଟି ନୂତନ ଥାନା ସୃଷ୍ଟି କରାଯାଇଛି ।

ଗତକାଲି ରାଜ୍ୟରେ ୧୧ଟି ସାଇବର ଥାନା ପ୍ରତିଷ୍ଠା କରାଯିବ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

Latest Posts

Don't Miss