ଆସନ୍ତା ୧୭ରେ ଇଣ୍ଡିଆ ମେଣ୍ଟର ବୈଠକ, ମତଭେଦ ଓ ମନାନ୍ତରରୁ ସ୍ଥଗିତ ରହିଲା ଆଜିର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ :  ଆସନ୍ତା ୧୭ ତାରିଖରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ । ମେଣ୍ଟ ମଧ୍ୟରେ ମତଭେଦ ଓ ମନାନ୍ତରରୁ ଆଜି ହେବାକୁ ଥିବା ବୈଠକ ସ୍ଥଗିତ ରହିଛି । ଇଣ୍ଡିଆ ମେଣ୍ଟର ବୈଠକରେ ୩ ଦଳର ନେତା ଯୋଗ ଦେବାକୁ ଅସନ୍ତୋଷ ପ୍ରକାଶ କରିବାରୁ ବୈଠକ ଘୁଞ୍ଚିଛି । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟର ବୈଠକ ଆଜି ହେବାର ଥିଲା ।

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୈଠକରେ ଯୋଗ ଦେବାକୁ ଅସନ୍ତୋଷ ପ୍ରକାଶ କରିଥିଲେ । ୫ ରାଜ୍ୟ ନିର୍ବାଚନରେ ସିଟ ଆବଣ୍ଟନ ଠିକରେ ହୋଇଥିଲେ ଇଣ୍ଡିଆ ମେଣ୍ଟର ବିଜୟ ହୋଇଥାନ୍ତା ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ଇଣ୍ଡିଆ ମେଣ୍ଟର ହାର ନୁହେଁ କଂଗ୍ରେସର ହାର ବୋଲି କହିଛନ୍ତି ମମତା ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆ ମେଣ୍ଟର ପ୍ରତିଷ୍ଠାତା ହୋଇଥିବାବେଳେ ସେ ମଧ୍ୟ ଏହି ବୈଠକରେ ଯୋଗ ଦେବେନି ବୋଲି କହିଛନ୍ତି । ସେହିପରି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏବେ ପରିଣାମ ଆସିଯାଇଥିବାବେଳେ ଅହଂକାର ମଧ୍ୟ ଶେଷ ହୋଇଗଲା । ଆସନ୍ତା ଦିନରେ ପୁଣିଥରେ ନୂଆ ସମାଧାନର ବାଟ ବାହାରିବ ବୋଲି କହିଛନ୍ତି ଅଖିଳେଶ। ହିନ୍ଦି ଭାଷାଭାଷୀ ରାଜ୍ୟରେ କଂଗ୍ରେସର ଜବରଦସ୍ତ ପରାଜୟ ପରେ ଇଣ୍ଡିଆ ମେଣ୍ଟରେ ଏହି ମତାନ୍ତର ଦେଖାଦେଇଛି ।