ସୁନ୍ଦରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ୍: ୨୪ ଘଣ୍ଟାରେ ଆଉ ୩ ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ଆଉ ୩ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ସୁନ୍ଦରଗଡରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଲା ୨୯୫ରେ ।
ସେପଟେ ସୁନ୍ଦରଗଡ଼ରେ ପହଞ୍ଚି ସ୍କ୍ରବ ଟାଇଫସର ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍ । ୬ ଜଣିଆ ଟିମରେ କେନ୍ଦ୍ରର ୪ ଜଣ ଓ ରାଜ୍ୟର ୨ ଜଣ ସଦସ୍ୟ ଅଛନ୍ତି । ଜିଲ୍ଲାରେ ସ୍କ୍ରବ ଟାଇଫସ ସ୍ଥିତି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ତଦନ୍ତକାରୀ ଟିମ୍ ।
ସ୍କ୍ରବ ଟାଇଫସରେ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଆଇସିୟୁରେ ଚାଲିଛି ଜଣେ ଗୁରୁତରଙ୍କ ଚିକିତ୍ସା । ଏଭଳି ସ୍ଥିତିରେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଓ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ କୁହାଯାଇଛି ।
ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବା ବେଳେ ବିଭିନ୍ନ ଛକ ଓ ହାଟରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ।