ଛେଳି ଖାଇଲା ଗଛ, ରକ୍ତାକ୍ତ ଆକ୍ରମଣର ଶିକାର ହେଲେ ମାଲିକର ପରିବାର

ଗୋପ: ଛେଳି ଖାଇ ଦେଲା ଗଛ । ଆଉ ଛେଳି ମାଲିକଙ୍କ ପରିବାର ଉପରେ ରାଗ ସୁଝାଇଲେ ତିନି ଯୁବକ । ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଛେଳି ମାଲିକଙ୍କ ପରିବାରର ତିନି ଜଣଙ୍କୁ କଲେ ଲହୁଲୁହାଣ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ଗୋପ ଥାନା ଅଧୀନ ରାହାଙ୍ଗଗୋରଡା ପଞ୍ଚାୟତ ଖଣ୍ଡାସାହି ଗାଁରେ ।

ଅଭିଯୋଗ ମୁତାବକ ଖଣ୍ଡାସାହି ରାସ୍ତା ପାର୍ଶ୍ବରେ ଥିବା କିଛି ଗଛକୁ ଶକୁନ୍ତଳା ମହାପାତ୍ରଙ୍କ ଛେଳି ଖାଇ ଦେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ଜୟାନନ୍ଦ ବିଶ୍ବାଳ, ରବୀନ୍ଦ୍ର ବିଶ୍ବାଳ ଏବଂ ପକୁ ବିଶ୍ବାଳ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଘର ଭିତରେ ପଶି ଶକୁନ୍ତଳାଙ୍କୁ ମାଡ ମାରିବା ସହ ନିକଟସ୍ଥ ଏକ ମନ୍ଦିର ପାଖକୁ ଟାଣି ଆଣି ଶାବଳ, ଖଣ୍ଡା, ଭୁଜାଲିରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଶଙ୍କୁନ୍ତଳାଙ୍କ ଦୁଇ ପୁଅ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଗୋପ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।