spot_img

Latest Posts

iPhone ପାଇଁ ଗୋଟିଏ ପରିବାରର ୩ ଜୀବନ ଗଲା, ପୁଅକୁ ବଞ୍ଚାଇବାକୁ ଯାଇ ବାପା-ମା’ ମୃତ

ନନ୍ଦିଘୋଷ ବ୍ୟୁରୋ : ଆଇଫୋନ୍‌ ପାଇଁ ଜିଦ୍‌କୁ କେନ୍ଦ୍ର କରି ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ପୁଅକୁ ବଞ୍ଚାଇବାକୁ ଯାଇ ବାପା-ମା’ ମଧ୍ୟ ଆରପାରିକୁ ଚାଲିଗଲେ। ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗର ଜିଲ୍ଲାର ତିସାଗାଁ ଅଞ୍ଚଳର ଖାବଦ୍ୟା ପର୍ବତରେ ଘଟିଛି ଏହି ଅଭାବନୀୟ ଘଟଣା। ଜଲତା ଫତା ଅଞ୍ଚଳର ୧୮ ବର୍ଷୀୟ କୁନାଲ ଚାନ୍ଦଗୁଡେ ଆଇଫୋନ୍‌ କିଣିବା ପାଇଁ ଜିଦ୍‌ ଧରିଥିଲେ। ହେଲେ ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କ ବାପା ମୁରଲିଧର ଓ ମା’ ସଂଗୀତା ପୁଅର ଦାବି ପୂରଣ କରିପାରିନଥିଲେ। ମୁରଲିଧର ପେସାରେ ଜଣେ ଡ୍ରାଇଭର ହୋଇଥିବାରୁ ଦାମୀ ଆଇଫୋନ୍‌ କିଣିବା ତାଙ୍କ ପାଇଁ ସମ୍ଭବ ହୋଇନଥିଲା।

ଏହାକୁ ନେଇ କୁନାଲ ରାଗିଯାଇ ଗତକାଲି ସକାଳ ପ୍ରାୟ ୧୦ଟାରେ ସ୍ଥାନୀୟ ଏକ ପର୍ବତ ଉପରକୁ ଚଢ଼ି ଯାଇଥିଲେ। ସେଠାରୁ ଡେଇଁପଡ଼ିବାକୁ ଧମକ ଦେଇଥିଲେ। ପୁଅକୁ ବୁଝାଇବା ସହ ତାଙ୍କୁ ଏଭଳି ପଦକ୍ଷେପ ନନେବାକୁ ବାପା-ମା’ ନେହୁରା ହୋଇଥିଲେ। ହେଲେ କୁନାଲ କାହାରି କଥା ଶୁଣିନଥିଲେ।

ଖବର ପାଇ ସ୍ଥାନୀୟ ଗ୍ରାମବାସୀ, ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ କୁନାଲଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ପାହାଡ଼ ଉପରେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ତାଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା। ଦୀର୍ଘ ସମୟ ଧରି ଉଦ୍ଧାର ଉଦ୍ୟମ ଚାଲିଥିଲେ ମଧ୍ୟ ସଫଳତା ମିଳିନଥିଲା। ଶେଷରେ ପୁଅ ନିକଟରେ ପହଞ୍ଚିବା ମାତ୍ରେ କୁନାଲ ତଳକୁ ଡେଇଁପଡ଼ିଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ବାପା ମୁରଲିଧର ମଧ୍ୟ ଉଦ୍ୟମ କରିଥିଲେ। ହେଲେ ଉଭୟେ ତଳକୁ ଖସିପଡ଼ି ପ୍ରାଣ ହରାଇଥିଲେ। ଆଖି ଆଗରେ ପୁଅ ଓ ସ୍ୱାମୀଙ୍କୁ ହରାଇ ସଂଗୀତା ମଧ୍ୟ ଧୈର୍ଯ୍ୟ ହରାଇ ତଳକୁ ଡେଇଁପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତିନିଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣାର ତଦନ୍ତ କରୁଛି ପୋଲିସ।

Latest Posts

Don't Miss