ବିଦେଶରେ ବଢୁଛି ଭାରତୀୟଙ୍କ ଦବଦବା, ଆମେରିକା ରାଷ୍ଟ୍ରପତି ରେସରେ ତିନି ଭାରତୀୟ ବଂଶୋଦ୍ଭବ

1 min read

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଦୌଡ଼ରେ ତିନି ଭାରତୀୟ ବଂଶୋଦ୍ଭବ । ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ ବିବେକ ରାମାସ୍ବାମୀ, ନିକ୍କି ହେଲିଙ୍କ ପରେ ରେସରେ ସାମିଲ ହୋଇଛନ୍ତି ହର୍ଷବର୍ଦ୍ଧନ ସିଂ । ଅନେକ ବିବାଦ ସତ୍ତ୍ୱେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଆଗରେ ରହିଛନ୍ତି । ଆସନ୍ତା ବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ । ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖାଯାଉଥିବା ବେଳେ ଟ୍ରମ୍ପଙ୍କ ପାର୍ଟିରେ ଥିବା ଭାରତୀୟ-ଆମେରିକୀୟ ନେତା ଆଗକୁ ଆସିଛନ୍ତି । ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦର ପ୍ରାର୍ଥିତ୍ବ ପାଇଁ ଆସନ୍ତାବର୍ଷ ଜୁଲାଇରେ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜନ କରାଯିବ । ୧୫ରୁ ୧୮ ଜୁଲାଇ ମଧ୍ୟରେ ହେବାକୁ ଥିବା ଏହି ସମ୍ମିଳନୀରେ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରାଯିବ । ଭାରତୀୟ-ଆମେରିକୀୟ ନିକ୍କି ହେଲି ଦକ୍ଷିଣ କାରୋଲିନାର ଦୁଇ ଥର ଗଭର୍ଣ୍ଣର ଓ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ରହିଛନ୍ତି । ଲଗାତାର ତୃତୀୟ ଥର ଲାଗି ନିକ୍କି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଭାବେ ସାମିଲ ହେବାକୁ ଯାଉଛନ୍ତି ।

ସେହିପରି ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଗତ ଫେବୃଆରୀରୁ ଘୋଷଣା କରିସାରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଓ ଫ୍ଲୋରିଡା ଗଭର୍ଣ୍ଣର ରନ ଡେସୋଣ୍ଟିସଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି ବିବେକ । ଟ୍ରମ୍ପଙ୍କୁ ରିପବ୍ଲିକାନ ପାର୍ଟିର ୪୭ ପ୍ରତିଶତ ନେତାଙ୍କ ସମର୍ଥନ ମିଳିଥିବା ବେଳେ ଡେସୋଣ୍ଟିସଙ୍କୁ ୧୯ ପ୍ରତିଶତ ଓ ବିବେକଙ୍କୁ ୯ ପ୍ରତିଶତ ନେତାଙ୍କ ସମର୍ଥନ ମିଳିଛି । ସେହିପରି ଆମେରିକା ରାଷ୍ଟ୍ରପତି ରେସରେ ସାମିଲ ହୋଇଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ ହର୍ଷବର୍ଦ୍ଧନ ସିଂ । ଏରୋସ୍ପେସ ଇଞ୍ଜିନିୟର ହର୍ଷବର୍ଦ୍ଧନ ନିକଟରେ ଏକ ଭିଡିଓ ଜାରି କରି ଜୀବନସାରା ରିପବ୍ଲିକାନ ରହିଛନ୍ତି ବୋଲି କହିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଘଟିଥିବା ପରିବର୍ତ୍ତନକୁ ବଦଳାଇବା ଏବଂ ଆମେରିକାର ମୂଲ୍ୟବୋଧକୁ ପୁନଃସ୍ଥାପିତ କରିବା ପାଇଁ ଆମକୁ ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଛି । ସେଥିପାଇଁ  ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ୩୮ ବର୍ଷୀୟ ହର୍ଷବର୍ଦ୍ଧନ । ରିପବ୍ଲିକାନ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ସମେତ ପ୍ରାୟ ୧୨ ଜଣ ନେତା ରାଷ୍ଟ୍ରପତି ପ୍ରାର୍ଥୀ ରେସରେ ରହିଛନ୍ତି ।