ଅସୁସ୍ଥ ତିନି ଠାକୁର, ଆସିଲା ଫଳ ଭାର

ପୁରୀ: ମହାପ୍ରଭୁଙ୍କ ପାଇଁ ଆସିଲା ଫଳ ଭାର । ଫଳ ଖାଇ ସୁସ୍ଥ ହେବେ ଅସୁସ୍ଥ ଦିଅଁ  ।  ଅଣସରର ନବମୀ ତିଥିରେ ଫଳ ଭାର ଆଣିଛନ୍ତି ବିଭିନ୍ନ ମଠ । ଏପଟେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତସେବା । ତାଟି ଘରେ ଜାରି ରହିଛି ସ୍ୱତନ୍ତ୍ର ଉପଚାର । ଆଜି ଓଷ ଲାଗିର ଅନ୍ତିମ ଦିବସ । ଆସନ୍ତାକାଲି ଦଶମୀ ତିଥିରେ ମହାପ୍ରଭୁଙ୍କ ଚକା ବିଜେ କରାଯିବ । ଏକାଦଶୀରେ ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ ।

ଫଳ ମୂଳି ଖାଇ ସୁସ୍ଥ ହେବେ ଠାକୁର । ଅଣସର ଘରେ ଜାରି ରହିଛି ଗୁପ୍ତସେବା । ନବମୀ ତିଥିରେ ପ୍ରାଚୀ ନଦୀ ତଟ ଦେଉଳି ମଠ, ବିଶ୍ୱାମିତ୍ର ମଠ ଓ ପୁରୀ ହାତୀ ଆଖଡ଼ା ମଠରୁ ମହାପ୍ରଭୁଙ୍କ ପାଇଁ ଆସିଛି ଫଳ ଭାର । କିମ୍ବଦନ୍ତୀ ଅନୁସାରେ ପ୍ରଭୁ ହନୁମାନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବାବେଳେ ଶ୍ରୀଜିଉ ଜ୍ୱରରେ ପୀଡ଼ିତ ଥିବା ଜାଣି ଫଳ ଭାର ଆଣିଥିଲେ । ପରମ୍ପରାକୁ ବଜାୟ ରଖିବାକୁ ରଖିବାକୁ ଦୀର୍ଘବର୍ଷ ଧରି ହାତୀ ଆଖଡ଼ା ମଠ ଫଳ ପ୍ରଦାନ କରୁଛି । କଦଳୀ, ପଣସ, ସପୁରୀ ଆଦି ଫଳ ଶ୍ରୀମନ୍ଦିର ଗାରଦ କାର୍ଯ୍ୟାଳୟରେ ଜିମା ଦେଇଛନ୍ତି ମଠ କର୍ତ୍ତୁପକ୍ଷ ।

ରଥଯାତ୍ରାକୁ ଆଉମାତ୍ର ୮ ଦିନ । ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଚାଲିଛି ଓଷ ଲାଗି ନୀତି । ଆସନ୍ତାକାଲି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ୱାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ । ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ରୂପରେ ଦର୍ଶନ ଦେଇ ରଥାରୂଢ଼ ହେବେ । ସୁରୁଖୁରୁରେ ନୀତିକାନ୍ତି ସମାପନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛି ପରିଚାଳନା କମିଟି । ଘୋଷଯାତ୍ରାକୁ କିପରି ଶୃଙ୍ଖଳିତ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ସେପଟେ ରାଜବୈଦ୍ୟଙ୍କ ପରାମର୍ଶରେ ଆୟୁର୍ବେଦ ପଦ୍ଧତିରେ ମହାପ୍ରଭୁଙ୍କ ଚିକିତ୍ସା କରାଯାଉଛି । ଦଇତାପତିମାନେ ନିଷ୍ଠାର ସହ ଗୁପ୍ତସେବା ଜାରି ରଖିଛନ୍ତି ।