ଆଦିତ୍ୟଙ୍କ ୩ ବନ୍ଧୁଙ୍କୁ ୬ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ୪ ଜଣଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସାରିଛି । ଗତକାଲି ଗୁରୁବାର ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ପ୍ରାୟ ସାଢ଼େ ୪ ଘଣ୍ଟାର ଲାଏ ଡିଟେକ୍ସନ୍ ଟେଷ୍ଟରେ କ୍ରାଇମବ୍ରାଞ୍ଚ ବିଦ୍ୟାଶ୍ରୀଙ୍କୁ ୫୦ଟି ପ୍ରଶ୍ନ ପଚାରିଥିଲା । ପାରିବାରିକ ଜୀବନରୁ ଟ୍ରେନ୍ ଟ୍ରାକରେ ମୃତଦେହ ପର୍ଯ୍ୟନ୍ତ ଜେରାର ସମ୍ମୁଖୀନ ହୋଇଥିଲେ ବିଦ୍ୟାଶ୍ରୀ ।

ଆଜି କ୍ରାଇମବାଞ୍ଚ ଆଦିତ୍ୟଙ୍କ ୩ଜଣ ବନ୍ଧୁ ତଥା ପିପୁଲ୍ ଫର ସେବାର ସଦସ୍ୟ ପପୁ, ବିକାଶ ଓ ଦୀପକଙ୍କୁ ଜେରା କରିଛି । ପ୍ରଥମ ଦଫାରେ ପପୁ, ଦୀପୁଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯାଇଥିବା ବେଳେ ଦ୍ୱିତୀୟ ଦଫାରେ ବିକାଶଙ୍କୁ ଜେରା କରିଥିଲା ଟିମ୍ । ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍ସିକ ଲାବରେ ଏହି ଲାଏ ଡିଟେକ୍ସନ ଟେଷ୍ଟ ସରିଛି ।

ଲାଏ ଡିଟେକ୍ସନ୍ ଟେଷ୍ଟ ପରେ ଆଦିତ୍ୟଙ୍କ ବନ୍ଧୁ ବିକାଶ ପ୍ରତିକ୍ରିୟା ରଖିଛନ୍ତି । ଡାଏରୀ, ଅଡିଓ କଲ ସହ ପତିପତ୍ନୀଙ୍କ ପାରିବାରିକ କଳହ ବିଷୟରେ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ମୋତେ ୧୫ଟି ପ୍ରଶ୍ନ ପଚରା ଯାଇଥିବା ବେଳେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି । ଏଥିସହ ବିଦ୍ୟାଶ୍ରୀଙ୍କ ପୂର୍ବରୁ ସେ ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ବୋଲି କହିଛନ୍ତି ।

ସୁଇସାଇଡାଲ୍ ନୋଟରେ ଆଦିତ୍ୟ ପପୁଙ୍କୁ ୭୦ ହଜାର ଟଙ୍କା ଦେଇଥିବା ଉଲ୍ଲେଖ କରିଥିଲେ । ସଂଗଠନ ଟଙ୍କା ବାବଦରେ ମଧ୍ୟ କ୍ରାଇମବ୍ରାଞ୍ଚ ଲାଏ ଡିଟେକ୍ସନ୍ ଟେଷ୍ଟରେ ପଚରାଉଚରା କରିଥିବା ଜଣାପଡ଼ିଛି । ପୂର୍ବରୁ ଜେରା ବେଳେ ବିଦ୍ୟାଶ୍ରୀ, ପପୁ, ବିକାଶ ଓ ଦୀପକ ରଖିଥିବା ମନ୍ତବ୍ୟ ଓ ଲାଏ ଡିଟେକ୍ସନ ଟେଷ୍ଟରେ ଦେଇଥିବା ଉତ୍ତରକୁ ପରଖାଯିବ । ଏହା ପରେ ହିଁ ଜଣାପଡ଼ିବ କିଏ, କେତେ ସତ କହୁଛନ୍ତି ।

Leave a Reply