ଫୁଟବଲକୁ ବିଗ ବୁଷ୍ଟ; ରାଜଧାନୀରେ ଲୋକାର୍ପିତ ହେଲା ୩ଟି ଫୁଟବଲ ତାଲିମ କେନ୍ଦ୍ର

1 min read

ଭୁବନେଶ୍ୱର : ଭୁବନେଶ୍ୱରରେ ଲୋକାର୍ପିତ ହୋଇଛି ୩ଟି ଫୁଟବଲ ଟ୍ରେନିଂ ସେଣ୍ଟର। ୟୁନିଟ-୧ରେ ଅନ୍ତର୍ଜାତୀୟସ୍ତରୀୟ ଭୁବନେଶ୍ୱର ଫୁଟବଲ ଏକାଡେମୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ୟୁନିଟ-୯ସ୍ଥିତ କ୍ୟାପିଟାଲ ଏରିନା ଓ ଓଡିଶା ଫୁଟବଲ ଏକାଡେମୀରେ ଥିବା ଟ୍ରେନିଂ ସେଣ୍ଟର ଏକକାଳୀନ ଉଦଘାଟିତ ହୋଇଛି।

ୟୁନିଟ-୧ ସ୍ଥିତ ଟ୍ରେନିଂ ସେଣ୍ଟରରେ ଫିଫା ଦ୍ୱାରା ଅନୁମୋଦିତ ଟର୍ଫ, ୟୁନିଟ-୯ କ୍ୟାପିଟାଲ ଏରିନାରେ ଗୋଟିଏ ଓ ଓଡ଼ିଶା ଫୁଟବଲ ଏକାଡେମୀରେ ଦୁଇଟି ନାଚୁରାଲ ଟର୍ଫ ରହିଛି। ଏହି ଅବସରରେ ଭାରତୀୟ ସିନିଅର ଫୁଟବଲ ଟିମର ସମସ୍ତ ଖେଳାଳି ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭାରତୀୟ ସିନିଅର ପୁରୁଷ ଫୁଟବଲ ଟିମର ଖେଳାଳି ଦଳଗତ ଫଟୋ ଉଠାଇଥିଲେ।

ଭୁବନେଶ୍ୱର ଏକାଦଶ ଓ କଟକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ ଫୁଟବଲ ମ୍ୟାଚ ଆୟୋଜିତ ହୋଇଥିଲା । ଉତ୍ସବରେ କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ କ୍ରୀଡା ସଚିବ ଭିନ୍ନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।