ଜଟଣୀରେ ମାସକ ମଧ୍ଯରେ ତିନିଥର ଅଗ୍ନିକାଣ୍ଡ, ଧନଜୀବନ ହାନି ସାଙ୍ଗକୁ ଗଲାଣି ମୂଲ୍ଯବାନ ଜୀବନ
ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଯବସାୟିକ ପେଣ୍ଠସ୍ଥଳୀ । ସହରର ରାଜା ବଜାର, ନୀଳଚକ୍ର ମାର୍କେଟ ଓ ଗୋଲେଇ ମାର୍କେଟରେ ରାଜ୍ଯର ଦୂରଦୂରାନ୍ତରୁ ଲୋକଙ୍କ ଭିଡ ଲାଗେ । ସୁଲଭ ଦରରେ ଜିନିଷ କିଣିବାକୁ ଲୋକ ମାନେ ଧାଇଁ ଆସନ୍ତି । ରେଳଷ୍ଟେସନ ପାଖରେ ଥିବା ଏହି ମାର୍କେଟରେ ପ୍ରାୟତଃ ବଡ ବଡ ଗୋଦାମ ରହିଛି । କିନ୍ତୁ ବିଡମ୍ବନାର ବିଷୟ ବିଗତ କିଛି ଦିନ ଭିତରେ ତିନିଥର ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଧନ ହାନି ସହିତ ଏକ ମୂଲ୍ଯବାନ ଜୀବନ ଚାଲିଯାଇଛି । ଟିକେ ନଜର ପକାନ୍ତୁ ଗତ ମାସେ ଭିତରେ ଘଟିଥିବା ଅଗ୍ନିକାଣ୍ଡ ଉପରେ । ନଭେମ୍ବର ୧୫ରେ ରାଜା ବଜାରରେ ଥିବା ଗୌରୀ ଗାର୍ମେଣ୍ଟସରେ ଅଗ୍ନିକାଣ୍ଡ ଘଟି ସମସ୍ତ ଜିନିଷ ପୋଡିଯିବା ସହିତ ଦୋକାନ ମାଲିକଙ୍କ ମୃତ୍ଯୁ ହେଲା । ନଭେମ୍ବର ୧୯ରେ ରାଜା ବଜାରରେ ଏକ ଆଇସ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଜିନିଷ ଜଳି ପୋଡି ନଷ୍ଟ ହୋଇଗଲା । ଡିସେମ୍ବର ୨ରେ ନୀଳାଚଳ ମାର୍କେଟରେ ଥିବା ଏକ ବିଦ୍ୟୁତ୍ ସାମଗ୍ରୀ ପ୍ରତିଷ୍ଠାନ ଜଳିଗଲା। ସବୁଠି ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ।
ସହରରେ ଦିନକୁ ଦିନ ବିଗିଡିବାରେ ଲାଗିଛି ଟ୍ରାଫିକ ସମସ୍ଯା । ଫଳରେ ଅଗ୍ନିଶମ ଗାଡି ଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରୁନାହିଁ । ଜଟଣୀରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ଦୋକାନର ଅଗ୍ନି ନିରାପତ୍ତା ଯାଞ୍ଚ କରୁନଥିବା ଅଭିଯୋଗ ହୋଇଛି । ସେପଟେ ଆଗାମୀ ଦିନରେ ପୌର ପରିଷଦ ପକ୍ଷରୁ ଏଥିନିମନ୍ତେ ଦୃଷ୍ଟି ଦିଆଯାଇ ବ୍ଯବସାୟୀଙ୍କ ନିରାପତ୍ତା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌରାଧ୍ଯକ୍ଷ କହିଛନ୍ତି । ଅଗ୍ନି ନିରାପତ୍ତା ପ୍ରତି ଜନସାଧାରଣ, ବ୍ଯବସାୟୀ ଓ ପ୍ରଶାସନ ସଚେତନ ହେଉନଥିବା ଯୋଗୁଁ ଅନେକ ସମୟରେ ଘଟୁଛି ଅଘଟଣ ।