ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ । ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଥିଲା ଶେଷ ଦିନ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ରହିଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅବଧି । ଏହି ସମୟ ଶେଷହେବା ପରେ ବିଜେଡିର ୩ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ।

ରାଜ୍ୟସଭା ପାଇଁ ବିରୋଧୀଙ୍କ ପାଖରେ ନଥିଲା ଆବଶ୍ୟକ ସଂଖ୍ୟା । କଂଗ୍ରେସ କିମ୍ବା ବିଜେପି ଦେଇନଥିଲେ ପ୍ରାର୍ଥୀ । ଏଣୁ ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।ନିର୍ବାଚିତ ପରେ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ୩ପ୍ରାର୍ଥୀ । ପ୍ରଥମ ଥର ପାଇଁ ମାନସ ମଙ୍ଗରାଜ, ସୁଲତା ଦେଓ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସସ୍ମିତ ପାତଙ୍କୁ ଦ୍ବିତୀୟ ଥର ପାଇଁ ରାଜ୍ୟସଭା ଯାଉଛନ୍ତି । ସାମ୍ବାଦିକତାରୁ ରାଜନୀତି କ୍ଷେତ୍ରକୁ ଆସି ଜଣେ ଦକ୍ଷ ରାଜନେତା ଭାବରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ମାନସ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ସଫଳତାର ସହିତ ଦାୟିତ୍ବ ତୁଲାଇବା ସହିତ ଦଳକୁ ସୁସଂଗଠିତ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ।

ସେହିପରି ରାଜନୀତିରେ ଯଥେଷ୍ଟ ଅଭିଜ୍ଞତା ଥିବା ମହିଳା ନେତ୍ରୀ ସୁଲତା ଦେଓ ସରପଞ୍ଚରୁ ରାଜ୍ୟସଭା ସାଂସଦ ହେବାର ସଫଳତା ହାସଲ କରିଛନ୍ତି । ସେପଟେ ଦ୍ବିତୀୟ ଥର ଭାବେ ସସ୍ମିତ ପାତ୍ର ରାଜ୍ୟସଭାରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ଅନ୍ଯପଟେ ରାଜ୍ୟସଭା ନିର୍ବାଚନ ପାଇଁ ନିରଞ୍ଜନ ବିଶି ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଆଜି ସରିଛି ପ୍ରାର୍ଥୀପତ୍ର ଯାଞ୍ଚ ପକ୍ରିୟା ।