ଉତ୍ତରପ୍ରଦେଶରେ ପୁଣି ଲଜ୍ଜା: ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ

1 min read

ଆଗ୍ରା: ପୁଣି ଯୋଗୀ ଆଦିତ୍ୟନାଥଙ୍କ ରାମ ରାଜ୍ୟ ଉତ୍ତର ପ୍ରଦେଶରୁ ଆସିଲା ଲଜ୍ଜାଜନକ ଘଟଣା । ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ନୋଏଡାରୁ ଫିରୋଜାବାଦ ଯିବା ସମୟରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମାମଲାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାନୁଯାୟୀ, ଔରିଆର ବିଧୁନା ନିବାସୀ ଜଣେ ୨୩ ବର୍ଷୀୟା ଯୁବତୀ ପ୍ରୟାଗରାଜରେ ରହି ପାଠ ପଢ଼ୁଛନ୍ତି । ଏହା ପୂର୍ବରୁ ସେ ନୋଏଡାର ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସେଠାରେ ୧୦ ହଜାର ଟଙ୍କା ତାଙ୍କର ବାକି ଥିଲା । ତାହା ଆଣିବା ପାଇଁ ସେ ନୋଏଡା ଯାଇଥିଲେ ।

ଗତ ସନ୍ଧ୍ୟାରେ ନୋଏଡାରୁ ନିଜ ଘର ଅଭିମୁଖେ ବାହାରିଥିଲେ । ବିଧୁନା ଯିବା ପାଇଁ ଗାଡ଼ି ନମିଳିବାରୁ ସେକ୍ଟର-୩୭ରୁ ରାତି ପ୍ରାୟ ୮ ଟା ୩୦ ସମୟରେ ଫିରୋଜାବାଦ ପର୍ଯ୍ୟନ୍ତ ଯିବା ପାଇଁ ଏକ ଭ୍ୟାନରେ ବସିଥିଲେ । ଯୁବତୀ ଜଣଙ୍କ କହିବା ଅନୁସାରେ, ଯମୁନା ଏକ୍ସପ୍ରେସୱେରେ ଏତ୍ମାଦପୁର ଥାନା ଅଞ୍ଚଳ ସ୍ଥିତ କୁବେରପୁର କଟ ପାଖରେ ଅନ୍ୟ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ । ଏହାପରେ ସେ ଏଠାରୁ ଫିରୋଜାବାଦ ଅଭିମୁଖେ ଏକାକୀ ଯାଇଥିଲେ । ଏହି ସମୟରେ ରାସ୍ତାରେ ଅନ୍ୟ ଦୁଇ ଜଣ ଗାଡ଼ିରେ ଚଢ଼ିଥିଲେ । ସେମାନେ ଡ୍ରାଇଭରକୁ ଜାଣିଥିଲେ ।

କିଛି ବାଟ ଯିବା ପରେ ଡ୍ରାଇଭର ଗାଡ଼ିକୁ ରାସ୍ତା କଡ଼ରେ ଅନ୍ଧାରରେ ଛିଡ଼ା କରି ଦେଇଥିଲେ । ଚାଳକ ଓ ତାଙ୍କର ଦୁଇ ସାଥୀ ମିଶି ଜବରଦସ୍ତି ଏକ୍ସପ୍ରେସ ୱେ ପାଖରେ ଥିବା ବୁଦାକୁ ଉଠାଇ ନେଇଯାଇଥିଲେ ଏବଂ ସକାଳ ପ୍ରାୟ ୪ ଟା ପର୍ଯ୍ୟନ୍ତ ଜଣେ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରି ଚାଲିଥିଲେ । ଯୁବତୀ ଜଣଙ୍କ ଚିତ୍କାର କରିଥିଲେ, କାନ୍ଦିଥିଲେ ଏବଂ ଛାଡ଼ିଦେବାକୁ ବିନତି କରିଥିଲେ କିନ୍ତୁ ରାକ୍ଷସମାନେ ତାଙ୍କୁ ଛାଡ଼ିନଥିଲେ । କୁହୁଡ଼ି ଏବଂ ଶୀତ କାରଣରୁ ରାତିରେ କେହି ମଧ୍ୟ ଯୁବତୀଙ୍କ ଚିତ୍କାର ଶୁଣି ପାରିନଥିଲେ ।

ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ଯୁବତୀଙ୍କୁ ୨୦୦ ଟଙ୍କା ଦେଇ ଏକ ଅଟୋରେ ବସାଇ ଫିରୋଜାବାଦ ଅଭିମୁଖେ ଛାଡ଼ି ଦେଇଥିଲେ । ପୀଡିତା ଯୁବତୀ ଏତ୍ମାଦପୁରରେ ଅଟୋରୁ ଓହ୍ଲାଇ ସକାଳ ପ୍ରାୟ ୭ ଟାରେ ଥାନାକୁ ଯାଇଥିଲେ ଏବଂ ପୋଲିସକୁ ନିଜ ସହ ଘଟିଥିବା ଘଟଣାର ସମ୍ପୂର୍ଣ୍ଣ ଘଟଣା ବଖାଣିଥିଲେ । ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ପୋଲିସ ଦ୍ୱନ୍ଦରେ ପଡ଼ିଯାଇଥିଲା । ପୋଲିସ ଟିମ୍ ତତକ୍ଷଣାତ ଏକ୍ସପ୍ରେସୱେ ପହଞ୍ଚି ଟୋଲ ଫୁଟେଜ କାଢି଼ଥିଲା । ଟୋଲ ପୁଟେଜ ଆଧାରରେ ପୋଲିସ ଗାଡ଼ିର ଚିହ୍ନଟ କରିଥିଲା ଏବଂ ତାକୁ ଜବତ କରିଥିଲା । ଏହାପରେ ଘଟଣା ଘଟାଇଥିବା ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନେଇଥିଲା ।