ସଂସଦକୁ ଜାଲ ଆଧାର କାର୍ଡ ଦେଖାଇ ପ୍ରବେଶ ଉଦ୍ୟମ, ୩ ଯୁବକ ଗିରଫ

ନୂଆଦିଲ୍ଲୀ : ଜାଲ ଆଧାର କାର୍ଡ ଦେଖାଇ ସଂସଦକୁ ପ୍ରବେଶ ଉଦ୍ୟମ ପଣ୍ଡ । ଧରା ହେଲେ ୩ ଯୁବକ । ଗୁରୁବାର ସଂସଦ ଭବନକୁ ଜାଲ ଆଧାର କାର୍ଡ ଦେଖାଇ ପ୍ରବେଶ କରିବା ବେଳେ ୩ ଯୁବକଙ୍କୁ ଗିରଫ କରିଛି ସିଆଇଏସଏଫ୍ । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାଲ ଆଧାରକାର୍ଡ ବ୍ୟବହାର କରି ହାଇ ସିକ୍ୟୁରିଟି ଯୁକ୍ତ ସଂସଦ ପରିସରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ଏହି ୩ ଯୁବକ । ଆଧାର କାର୍ଡରେ ୩ଜଣଙ୍କ ଭିନ୍ନ ଫଟୋ ଥିବା ଜଣାପଡିବା ପରେ ସେମାନଙ୍କୁ ପଚରାଉଚରା କରାଯାଇଥିଲା । ଏହା ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ତନାଘନା କରାଯାଉଛି।
ଏହି ୩ଜଣ ଅଭିଯୁକ୍ତଙ୍କ ନାଁ କାଶିମ, ମୋନିସ ଏବଂ ସୋଏବ ବୋଲି ସୂଚନା ମିଳିଛି । ଏମାନେ ସେଠାରେ କାର୍ଯ୍ୟରତ ଶ୍ରମିକ ଥିଲେ ବୋଲି ଜଣା ପଡିଛି । ସେମାନେ କେଉଁ ଉଦ୍ଦେଶ୍ୟ ନେଇ ପ୍ରବେଶ କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।