ଗଜବ ସ୍କାମ୍: ନକଲି SBI ବ୍ରାଂଚ୍ ଖୋଲିଦେଲେ ପୂର୍ବତନ ବ୍ୟାଙ୍କ କର୍ମଚାରୀଙ୍କ ପୁଅ !

ଚେନ୍ନାଇ: ଭାରତ ଅଜବ ଦେଶ  । ଭାରତୀୟ ଜୁଗାଡ କରିବାରେ ମାହିର । ନକଲି ମଦ,ନକଲି ଔଷଧଠାରୁ ଫେକ୍ ବ୍ୟାଙ୍କ୍ କଲ୍ କଥା ଶୁଣିଥିବେ । କିନ୍ତୁ କେବେ ଫେକ୍ ବ୍ୟାଙ୍କ୍ କଥା ଶୁଣିଛନ୍ତି କି ? ଯଦି ଶୁଣିନାହାନ୍ତି ତେବେ ସତର୍କ ହୋଇଯାନ୍ତୁ । ଆପଣଙ୍କ ପାଖ ପଡିଷାରେ ଥିବା ବ୍ୟାଙ୍କର ବ୍ରାଂଚ୍ ନକଲି ହୋଇଥାଇପାରେ । ଆମେ ଆପଣଙ୍କୁ ଡରାଉ ନାହୁଁ କିନ୍ତୁ ଟିକେ ଡରିଲେ କ୍ଷତି ବି କ’ଣ ? ହୁଏତ ଏମିତି ଡରିବା ଦ୍ୱାରା ଆପଣଙ୍କ ଝାଳବୁହା ଟଙ୍କା ଠକଙ୍କ ପକେଟକୁ ଯିବାରୁ ବଂଚିଯିବ । କାରଣ ତାମିଲନାଡୁ ପୋଲିସ ଏମତି ତିନି ଜଣ ଠକଙ୍କୁ ଗିରଫ କରିଛନ୍ତି ଯେଉଁମାନେ ଫୋନ୍ କଲ କରି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରୁନଥିଲେ । ସେମାନେ ଟିକେ ଆଗକୁ ବଢି ଫେକ୍ ବ୍ୟାଙ୍କ୍ ହିଁ ଖୋଲିଦେଇଥିଲେ । ବ୍ୟାଙ୍କ ନକଲି ଥିଲା କିନ୍ତୁ ଅସଲି ଟଙ୍କା କାରବାର ହେଉଥିଲା । ଗ୍ରାହକ ଅସଲି ଥିଲେ,ଟଙ୍କା ଅସଲି ଥିଲା କିନ୍ତୁ ବ୍ୟାଙ୍କ କେବଳ ବ୍ୟାଙ୍କ ଫେକ୍ ଥିଲା । ଏଥର ଚାଲନ୍ତୁ ଜାଣିବା ପୁରା ମାମଲା କେତେ ଗଡବଡ ଥିଲା ।

ତାମିଲନାଡୁର ପନରୁଟିରେ ତିନି ମାସ ତଳେ ତିନି ଜଣ ଠକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗୋଟିଏ ନକଲି ବ୍ୟାଙ୍କ ବ୍ରାଂଚ୍ ଖୋଲିଥିଲେ । ବ୍ୟାଙ୍କ ତିନି ମାସ ହେଲା ଚାଲୁଥିଲା । ଏହି ଫେକ୍ ବ୍ରାଚକୁ ଚଳାଉଥିବା ମାଷ୍ଟର ମାଇଣ୍ଡ୍ ଜଣେ ବେକାର ଯୁବକ । ଯାହାର ବାପା ଥିଲେ ବ୍ୟାଙ୍କ କର୍ମଚାରୀ । ୧୦ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲା । କମଲ ବାବୁ ନାମକ ଏହି ଠକଙ୍କ ମା’ ମଧ୍ୟ ବ୍ୟାଙ୍କ କର୍ମଚାରୀ । କମଲଙ୍କ ମା’ ଦୁଇ ବର୍ଷ ତଳେ ବ୍ୟାଙ୍କରୁ ଅବସର ନେଇଛନ୍ତି । ବେକାର ଥିବା କମଲଙ୍କ ମୁଣ୍ଡକୁ ତିନି ମାସ ତଳେ ନକଲି ବ୍ରାଂଚ୍ ଖୋଲିବା ଚିନ୍ତା ଆସିଥିଲା । ଏଥିପାଇଁ ସେ ଜଣେ ପ୍ରିଣ୍ଟରଙ୍କୁ ନିଜ ସାଥୀ କରିଥିଲେ । ପ୍ରିଣ୍ଟରଙ୍କ ପ୍ରିଣ୍ଟିଂ ପ୍ରେସରେ ବ୍ୟାଙ୍କର ସବୁ କାଗଜପତ୍ର ଛପା ଯାଉଥିଲା । ଦ୍ୱିତୀୟ ସାଥୀ ରବର ଷ୍ଟାମ୍ପ ବ୍ୟବସାୟୀ ଥିଲେ । ସେ ନକଲି ବ୍ୟାଙ୍କ ପାଇଁ ରବର ଷ୍ଟାମ୍ପ ଯୋଗାଉଥିଲେ ଯାହା ଅସଲି ଭଳି ଲାଗୁଥିଲା ।

ତିନି ଠକଙ୍କ ନକଲି ଏସବିଆଇ ବ୍ରାଂଚ୍ ତିନି ମାସ ଧରି ଭଲ ବ୍ୟବସାୟ କରୁଥିଲା । କିନ୍ତୁ ଜଣେ ଗ୍ରାହକଙ୍କ ପାଇଁ ସେମାନେ ଫସିଗଲେ । ଏହି ଗ୍ରାହକଙ୍କର ମନରେ ବ୍ୟାଙ୍କକୁ ନେଇ ସନ୍ଦେହ ହୋଇଥିଲା । ସେ ଏସମ୍ପର୍କରେ ଏସବିଆଇର ଆଉ ଗୋଟିଏ ସ୍ଥାନୀୟ ବ୍ରାଂଚର ମ୍ୟାନେଜରଙ୍କ ସହ କଥା ହୋଇଥିଲେ । ମ୍ୟାନେଜର ଜୋନାଲ ଅଫିସ ସହ କଥା ହେବା ପରେ ଜଣା ପଡିଥିଲା ଯେ, ସହରରେ ଦୁଇଟି ବ୍ରାଂଚ ରହିଛି । ତୃତୀୟ ବ୍ରାଂଚ୍ ହିଁ ନାହିଁ ।

ଏହାପରେ ଏସବିଆଇ ଅଧିକାରୀ ସେହି ନକଲି ବ୍ରାଂଚକୁ ଯାଇଥିଲେ । ସେମାନେ ବ୍ରାଂଚରେ ପହଞ୍ଚି ଏହାର ସେଟ୍ ଅପ୍ ଦେଖି ଚକିତ ହୋଇପଡିଥିଲେ । ବ୍ରାଂଚ୍ ନକଲି ଥିଲା କିନ୍ତୁ ସବୁକିଛି ଅସଲି ଲାଗୁଥିଲା । ଗୋଟିଏ ବ୍ୟାଙ୍କ ଯେମିତି ହେବା କଥା ତାହା ସେମିତି ଥିଲା । ଏହାପରେ ଏସବିଆଇ ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ତଦନ୍ତ କରି ଏହି ମାମଲାରେ ମାଷ୍ଟରମାଇଣ୍ଡ୍ କମଲ ବାବୁ ସହିତ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି ।

 

Leave a Reply