ଗଛରେ ବସିଛନ୍ତି ହଜାର ହଜାର ପକ୍ଷୀ: କିଚିରିମିଚିରି ଶବ୍ଦରେ ଫାଟି ପଡୁଛି ଗାଁ ଦାଣ୍ଡ

ଗଛରେ ବସିଛନ୍ତି ହଜାର ହଜାର ପକ୍ଷୀ । କିଚିରିମିଚିରି ଶବ୍ଦରେ ଫାଟି ପଡୁଛି ଗାଁ ଦାଣ୍ଡ । କଳାହାଣ୍ଡି ଜିଲ୍ଲା ଭବାନୀପାଟାଣା ବ୍ଲକ କାମଠଣା ପଞ୍ଚାୟତ ବୋରଭଟା ଗାଁରେ ବିଦେଶୀ ପକ୍ଷୀଙ୍କ ସମ୍ଭାର । ଗାଁର ଶେଷ ମୁଣ୍ଡରେ ଥିବା ଗ୍ରାମଦେବୀ ମାଆ ମାଉଲିଙ୍କ ପୀଠରେ ଥିବା ଗଛରେ ବସା ବାନ୍ଧିଛନ୍ତି ହଜାର ହଜାର ପକ୍ଷୀ । ଦୂରଦୂରାନ୍ତରୁ ପକ୍ଷୀମାନେ ଏଠାକୁ ବର୍ଷା ଋତୁ ଆରମ୍ଭରୁ ଛୁଟିଆସିଥିବା ବେଳେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ ।

ବୋରଭଟା ଗାଁକୁ ପ୍ରତିବର୍ଷ ଶ୍ରାବଣ ମାସରୁ ବିଦେଶୀ ପକ୍ଷୀ ଆସିଥାନ୍ତି । ଗାଁ ଶେଷ ମୁଣ୍ଡରେ ଥିବା ପୁରୁଣା ଗଛରେ ବସା ବାନ୍ଧି ଅଣ୍ଡା ଦିଅନ୍ତି । ଆଖପାଖ ଜମି ଓ ପାଖରୀରୁ ଖାଦ୍ୟ ସଂଗ୍ରହ କରି ଖାଇଥାନ୍ତି । ପକ୍ଷୀଙ୍କୁ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିଥାନ୍ତି ଗ୍ରାମବାସୀ । ଫେବୃୟାରୀ ମାସ ପରେ ପକ୍ଷୀ ମାନେ ଦ୍ଵିତୀୟ ଘର ଛାଡି ନିଜ ଅଞ୍ଚଳକୁ ଫେରି ଯାଆନ୍ତି । ବନବିଭାଗ ପକ୍ଷରୁ ବିଦେଶୀ ପକ୍ଷୀଙ୍କ ପାଇଁ ରହିବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ଜୋର ଧରିଛି ।