ଚଳିତ ବର୍ଷ ରାଜ୍ୟରେ ହେବ ୫୦ ହଜାର କିମି ରାସ୍ତା, ଖର୍ଚ୍ଚ ହେବ ୧୧ ଶହ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର: ଏଣିକି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ସବୁ ରାସ୍ତା ହେବ ଖାଲଖମା ମୁକ୍ତ । ଚଳିତ ବର୍ଷ ୫୦ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ୧୧ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ । ପ୍ରଶ୍ନକାଳରେ ଏପରି ଉତ୍ତର ରଖିଛନ୍ତି ଗ୍ରାମ୍ୟ ଉନ୍ନୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ପିଏମଜିଏସଓ୍ବାଇ ରାସ୍ତା ମରାମତି ଅଭାବରୁ ଅନେକ ଅସୁବିଧା ହେଉଛି । ଚିତ୍ରକୋଣ୍ଡାରେ ଡିଡାଇ ଆଦିମ ଜନଜାତି ଓ ବଣ୍ଡା ଜନଜାତି ରହୁଥିବା ଅଞ୍ଚଳରେ ପିଚୁ ରାସ୍ତା ନିର୍ମାଣ କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଗ୍ରାମୀଣ ରାସ୍ତାର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉନଥିବା ନେଇ ଗୃହରେ ଶାସକ ଓ ବିରୋଧୀ ଉଦବେଗ ପ୍ରକାଶ କରିଥିଲେ । ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଗୃହରେ ପ୍ରତିଶ୍ରୁତି ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

୨୦୨୧ରୁ ୨୦୨୩ ଆର୍ଥିକ ବର୍ଷରେ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ୨୪୨୨ କୋଟି ଖର୍ଚ୍ଚ କରି ୭୫୦ ରାସ୍ତା ନିର୍ମାଣ କରାଯାଇଛି । ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ୧୧୮୪ କୋଟି ବିନିମୟରେ ୬୬୨୪ ରାସ୍ତାର ମରାମତି କରାଯାଇଛି । ବିଜୁ ସେତୁ ଯୋଜନାରେ ୨୪୭୭ କୋଟି ୫୪ ଲକ୍ଷ ବିନିମୟରେ ୫୦୩ ରାସ୍ତା ନିର୍ମାଣ କରାଯାଇଛି । ଠିକାଦାର ମାନଙ୍କୁ ଇଟେଣ୍ଡର ମାଧ୍ୟମରେ ଚୟନ କରାଯାଇ ନିର୍ମାଣ କାମ ସରିଥିବା ନେଇ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି । ସେହିପରି ୫୨୬ ନୂଆ ବିଜୁ ସେତୁ ନିର୍ମାଣ ପାଇଁ ଚଳିତ ବଜେଟରେ ୨୦୦ କୋଟିର ବ୍ୟୟ ବରାଦ କରାଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।