ଘୂର୍ଣ୍ଣିବଳୟ ବିଗାଡ଼ିଲା ପାଣିପାଗ, ଏଥର ଶୀଘ୍ର ଆସିବନି ମୌସୁମୀ

ନୂଆଦିଲ୍ଲୀ: ଆସନ୍ତାକାଲି କେରଳ ଛୁଇଁବନି ମୌସୁମୀ । ପୂର୍ବରୁ ଏନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ମଧ୍ୟ ପାଗ ବିଗାଡ଼ି ଦେଇଛି ଘୂର୍ଣ୍ଣିବଳୟ । ଘନଘନ ଘୂର୍ଣ୍ଣିବଳୟ ଯୋଗୁ ସୃଷ୍ଟି ମୌସୁମୀ ପାଇଁ ସୃଷ୍ଟି କରିଛି ପ୍ରତିକୂଳ ପାଗ । କାଳବୈଶାଖୀ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ନଥିବାରୁ ଆସନ୍ତାକାଲି କେରଳ ଛୁଇଁ ନପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ସକ୍ରିୟ ପାଇଁ ଯେତିକି ବର୍ଷା ଆବଶ୍ୟକ ତାହା ହୋଇନାହିଁ କିମ୍ବା ବିଷୁବରେଖା ପାଖରେ ବାଦଲ ଖଣ୍ଡ ଦେଖାଯାଉନି । ମୌସୁମୀକୁ ସକ୍ରିୟ କଲା ଭଳି ବର୍ଷା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ନାହିଁ । ତେଣୁ ମୌସୁମୀ ଆସିବାରେ ବିଳମ୍ବ ହେବ ।

ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାକୁ ସତର୍କ କରାଯାଇଥିବା ବେଳେ ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ଆସନ୍ତା ୩ ଦିନରେ କାଳବୈଶାଖୀ ପ୍ରଭାବ କମିବା ସହ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।