ଏହି କାରଣରୁ ଲତା-ଆଶାଙ୍କ ସମ୍ପର୍କରେ ଆସିଥିଲା ଫାଟ, ଅନେକ ବର୍ଷ ପର୍ଯ୍ୟନ୍ତ ଦୁଇ ଭଉଣୀଙ୍କ ମଧ୍ୟରେ ନଥିଲା କଥାବାର୍ତ୍ତା

ନୂଆଦିଲ୍ଲୀ:  ଲତା ନାହାନ୍ତି, ତାଙ୍କ କଥା ଅଛି । ଫେବୃଆରୀ ୬, ରବିବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର । ତାଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡ଼ିତ ଅନେକ କାହାଣୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଲତାଙ୍କୁ ମନେ ପକାଇ କିଏ ଫଟୋ ପୋଷ୍ଟ କରୁଛି ତ ଆଉ କିଏ ପୁରୁଣା ସ୍ମୃତି ସାଉଣ୍ଟୁଛି । ଏସବୁ ଭିତରେ ଲତା ଏବଂ ଆଶାଙ୍କ ସମ୍ପର୍କ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରୁଛି ।

ଲତା ସେପ୍ଟେମ୍ବର ୨୮ ତାରିଖ ୧୯୨୯ ମସିହା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ୧୩ ବର୍ଷ ବୟସରୁ ସେ ସଙ୍ଗୀତ ଜଗତରେ କାମ କରିବା ଆରମ୍ଭ କରିଥିଲେ । ପିତାଙ୍କ ଅକାଳ ବିୟୋଗ ହେତୁ ତାଙ୍କ ପରିବାରର ଯତ୍ନ ନେବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲେ । ପରିବାରର ବଡ ଝିଅ ହୋଇଥିବାରୁ ଲତା ଏହି ଦାୟିତ୍ୱକୁ ବହୁତ ଭଲ ଭାବରେ ପୂରଣ କରିଥିଲେ ଏବଂ ଯେତେବେଳେ ତାଙ୍କ ସାନ ଭଉଣୀ ଆଶା ବଡ଼ ହେଲେ, ଲତା ତାଙ୍କଠାରୁ ସମାନ ଦାୟିତ୍ୱ ଏବଂ ଗମ୍ଭୀରତା ଆଶା କରିଥିଲେ, କିନ୍ତୁ ଆଶାଙ୍କର ପିଲାଦିନରୁ ଏକ ଭିନ୍ନ ମନୋଭାବ ଥିଲା । ସେ କୌଣସି ପ୍ରକାରର ନିୟମ ଦ୍ୱାରା ବନ୍ଧା ହେବାକୁ ପସନ୍ଦ କରୁନଥିଲେ ।

ଏକ ସାକ୍ଷାତକାରରେ ଆଶା ଭୋସଲେ କହିଥିଲେ ଯେ, ଲତା ମଙ୍ଗେଶକର ଆଶା ଏବଂ ଗଣପତଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଅନୁମୋଦନ ଦେଉନଥିଲେ । ଯାହା ଫଳରେ ଆଶା ଓ ଲତାଙ୍କ ମଧ୍ୟରେ ଦୂରତା ଆସିଲା ଏବଂ ଦୀର୍ଘ ସମୟ ଧରି ଦୁହେଁ ପରସ୍ପର ସହ କଥା ହୋଇନଥିଲେ । ପୁରା ପରିବାର ସେହି ସମୟରେ ଆଶା ଭୋସଲେଙ୍କ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଦେଇଥିଲେ। ଏବଂ ପରିବାରଠାରୁ ଅଲଗା ହୋଇ ଆଶା ନିଜ ବୈବାହିକ ଜୀବନ ଆରମ୍ଭ କରିଥିଲେ । ଅନ୍ୟପଟେ ଲତା ମଙ୍ଗେଶକର ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ସାନ ଭଉଣୀ ଆଶାଙ୍କ ପାଇଁ ସେ ପ୍ରସ୍ତାବ ଠିକ୍ ନଥିଲା ।

ଆଶା ଭୋସଲେ ଏବଂ ଗଣପତ ରାଓଙ୍କ ଔରସରୁ ତିନୋଟି ସନ୍ତାନ ଜନ୍ମ ଗ୍ରହଣ କଲେ । କିନ୍ତୁ ସମୟ ସହିତ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଲା ଏବଂ ଦୁହିଁଙ୍କ ବିବାହ ଅତ୍ୟନ୍ତ ତିକ୍ତ ଅବସ୍ଥାରେ ଶେଷ ହୋଇଥିଲା । ଉଭୟ ଅଲଗା ହୋଇଗଲେ ଏବଂ ଏହା ପରେ ଆଶା ଭୋସଲେ ଆରଡି ବର୍ମନଙ୍କୁ ବିବାହ କଲେ ।

ଆରଡି ବର୍ମନ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ପ୍ରଥମ ପତ୍ନୀ ରୀତା ପଟେଲଙ୍କଠାରୁ ତାଙ୍କର ଛାଡପତ୍ର ହୋଇଥିଲା । ସଂଗୀତ ପ୍ରତି ସେମାନଙ୍କର ଭଲପାଇବା ସେମାନଙ୍କୁ ନିକଟତର କରିଥିଲା ଏବଂ ଛଅ ବର୍ଷ ସାନ ଆରଡି ବର୍ମାନ ଆଶା ଭୋସଲେଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବର ବହୁ ସମୟ ପରେ ଆଶା ଭୋସଲେ ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ ଏବଂ ୧୯୮୦ ରେ ଉଭୟ ବିବାହ କରିଥିଲେ। ଦୁହିଁଙ୍କ ବିବାହ ପରେ ସମୟକ୍ରମେ ଆଶା ଓ ଲତାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଠିକ ହୋଇଥିଲା ।

Leave a Reply