ଅଭିବୃଦ୍ଧିରେ ଜଙ୍ଗଲ ସମ୍ପଦର ସିଂହଭାଗ

1 min read

ଭୁବନେଶ୍ୱର: କରୋନା କାଳରେ ବନ କର୍ମଚାରୀମାନେ କାର୍ଯ୍ୟ କରିଛନ୍ତି । ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଆଜି ଉଦଘାଟିତ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ସମ୍ମିଳନୀରେ ପ୍ରଥମ ଦିନରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩.୫୦ ପ୍ରତିଶତ ଜଙ୍ଗଲ ବୃଦ୍ଧି ସହ ଜାତୀୟ ସ୍ତରରେ ତୃତୀୟ ହୋଇଛି ଓଡ଼ିଶା । ୧ ଲକ୍ଷ ୧୦ ହଜାର ହେକ୍ଟର ବନୀକରଣ ହୋଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ଏହି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ରାଜ୍ୟର ଜଙ୍ଗଲ ସମ୍ପଦ ବିଶ୍ବରେ ଆମକୁ ନୂଆ ପରିଚୟ ଦେଇଛି । ଜୀବିକାସାଧନ ଜରିଆରେ ଆୟ ବୃଦ୍ଧି ପାଇଁ ସହାୟତା ଦିଆଯାଇଛି । ଜଙ୍ଗଲ ଯୋଜନାରେ ୨୦ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଙ୍ଗଲରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ବୃକ୍ଷରୋପଣ ଏକ ପ୍ରମୁଖ ଉପାଦାନ । ଜଙ୍ଗଲ ବିଭାଗ ବିହନ ବୁଣିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । 5T ଇନିସିଏଟିଭ୍ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବହନ କରିବାକୁ ସେ ଅନୁରୋଧ କରିଛନ୍ତି ।

ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବା ୫୦ ପ୍ରତିଶତ କମିଛି । ଏହା ଲୋକଙ୍କ ସଚେତନତା ଯୋଗୁ ସମ୍ଭବ ହୋଇପାରିଛି । ଲୋକଙ୍କୁ ସଚେତନ କରୁଥିବା ବନ କର୍ମଚାରୀଙ୍କୁ ପ୍ରଶଂସା କରାଯାଇଛି । ରାଜ୍ୟରେ ୨୪ ବନଖଣ୍ଡରେ ୮୬ ରେଞ୍ଜରେ ହାତୀ ଯାତାୟତ କରନ୍ତି । ଲୋକଙ୍କୁ ସଚେତନ କରିବାକୁ ଗଜସାଥୀ ନିୟୋଜିତ ହୋଇଛନ୍ତି । ମୋବାଇଲ ମେସେଜରେ ହାତୀ ଚଳାଚଳ ନେଇ ସୂଚନା ମିଳୁଛି । ବିପୁଳ ଜଙ୍ଗଲ ସମ୍ପଦ ରହିଛି, ସଦୁପଯୋଗ କରି ଅଭିବୃଦ୍ଧି ଦିଗରେ ଲୋକଙ୍କ ସହଯୋଗ ଲୋଡିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପରିବେଶ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନତିକରଣ ୨୦୧୬-୧୭ରୁ ଆରମ୍ଭ ହୋଇଥିଲା । ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତି କରାଯାଇଛି । ୨୦୨୧-୨୨ରେ ୭୦ ହଜାର ୨୧୬ ପର୍ଯ୍ୟଟକ ଆସିଛନ୍ତି । ୫ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।