ସିନ୍ଧିଆ ପରିବାରର ‘ଜୟବିଳାଶ ପ୍ୟାଲେସ୍’ରେ ଚୋରି, ମହଲରେ ଅଛି ସୁନାର କାନ୍ଥ, ରୂପାର ଟ୍ରେନ୍…

ମଧ୍ୟପ୍ରଦେଶ ଗ୍ୱାଲିୟରର ରାଜ ପରିବାର ତଥା ସିନ୍ଧିଆ ପରିବାରର ପ୍ରସିଦ୍ଧ ଜୟ ବିଳାଶ ପ୍ୟାଲେସ ବେଶ ପ୍ରସିଦ୍ଧ । ହେଲେ ଏବେ ଏହାର ରାଣୀ ମହଲରେ ହୋଇଛି ଏକ ଚୋରି। ଏହି ଖବରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ସବୁଠୁ ସୁରକ୍ଷିତ କୁହାଯଉଥିବା ଜୟବିଳାଶ ପ୍ୟାଲେସରେ ଏଭଳି ଘଟଣା ପୋଲିସର ନିଜ ହଜାଇଦେଇଛି। ବର୍ତ୍ତମାନ ପୁଲିସ ଡଗସ୍କୱାର୍ଡ଼ ସାହାଯ୍ୟରେ ତଦନ୍ତ ଚଲାଇଛି। ତେବେ ଆପଣ ଜାଣନ୍ତି କି ସିନ୍ଧିଆ ପରିବାରର ଏହି ରାଜମହଲ କେତେ ବଡ଼। ଏହାର ମୂଲ୍ୟ କେତେ? ଏହା ଭିତରେ କ’ଣ ସବୁ ଅମୁଲ୍ୟ ଜିନିଷ ରହିଛି? ଏବଂ ଏହା ଭିତରେ କେତେ କୋଠରୀ ଅଛି? ତେବେ ଆସନ୍ତୁ ଜାଣିବା ଏହି ମହଲ ବିଷୟରେ…
ସିନ୍ଧିଆ ପରିବାରର ଏହି ପ୍ରସିଦ୍ଧ ମହଲକୁ ଦେଖିବା ଲାଗି ଲୋକ ଦେଶ ବିଦେଶରୁ ଆସନ୍ତି। ଏହି ମହଲକୁ ଶ୍ରୀମନ୍ତ ଜୟାଜୀ ରାଓ ସିନ୍ଧିଆ ୧୮୭୪ ମସିହାରେ ତିଆରି କରାଇଥିଲେ। ଆଉ ଏହାକୁ ନିର୍ମାଣ କରିଥିଲେ ସାର୍ ମାଇକେଲ୍ ଫିଲୋଜ୍। ଏହି ରାଜମହଲ ମହଲଟି ପୂରା ୪୦ ଏକର ଜମିରେ ଅବସ୍ଥାପିତ। ୧୨ ଲକ୍ଷ ବର୍ଗଠୁ ବି ଅଧିକ ବଡ଼ ଏହି ମହଲ। ଏବେ ଏହି ସୁନ୍ଦର ଶାହି ମହଲର ମୂଲ୍ୟ ପ୍ରାୟ ୪ହଜାର କୋଟି ଟଙ୍କାରୁ ଅଧିକ ହେବ। ଏହା ଭିତରେ ଥିବା ଜିୱାଜିରାଓ ସଂଗ୍ରହାଳୟକୁ ୧୯୬୪ ମସିହାରେ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା।
ଏହି ରାଜ ମହଲକୁ ତିଆରି କରିବାକୁ ଶହ ଶହ ବିଦେଶୀ କାରିଗର ନିୟୋଜିତ ହୋଇଥିଲେ। ଏହି ପୂରା ମହଲରେ ୪ଶହରୁ ଅଧିକ କୋଠରୀ ରହିଛି। ଏହି କୋଠରୀଗୁଡ଼ିକରେ ବିଶେଷତ୍ୱ ହେଉଛି ଏହାର କାନ୍ଥଗୁଡ଼ିକରେ ସୁନା ଓ ରୂପାରେ କାରୁକାର୍ଯ୍ୟ ହୋଇଛି। ରାଜପ୍ରାସାଦର ୪ଶହ ରୁମ୍ ମଧ୍ୟରୁ ଏହି ସ୍ୱତନ୍ତ୍ର କୋଠରୀ ହେଉଛି ଜ୍ୟୋତିରାଦିତ୍ୟଙ୍କ ପିତା ମାଧବ ରାଓ ସିନ୍ଧିଆଙ୍କ କୋଠରୀ। ଆଜି ମଧ୍ୟ ଏହି କୋଠରୀକୁ ତାଙ୍କ ନାମରେ ସଂରକ୍ଷିତ କରି ରଖାଯାଇଛି। ମାଧବରାଓ ଏହି କୋଠରୀରେ ନିଜ ପସନ୍ଦର କାରୁକାର୍ଯ୍ୟ କରାଇବା ସହ ବହୁ ମୁଲ୍ୟବାନ ଓ ଆଣ୍ଟିକ ଜିନିଷରେ ବି ସଜାଇଥିଲେ।
କେବଳ ଏତିକି ନୁହେଁ ରାଜମହଲରେ ୩ ହଜାର ୫୦୦ କିଲୋଗ୍ରାମର ଦୁଇଟି ଚାନ୍ଦିର ଝୁମର ବି ଲାଗିଛି। କୁହାଯାଏ ଯେ ଯେତେବେଳେ ଏହି ଝୁମର ଗୁଡ଼ିକ ଲଗାଯାଇଥିଲା, ତା’ ପୂର୍ବରୁ ରାଜପ୍ରାସାଦର ଛାତ କେତେ ମଜଭୁତ ଜାଣିବା ଲାଗି, ୧୦ ଟି ହାତୀକୁ ୭ ଦିନ ପର୍ଯ୍ୟନ୍ତ ଛାତ ଉପରେ ଛିଡ଼ା କରାଯାଇଥିଲା।
ଏହି ରାଜପ୍ରାସାଦର ଆଉ ଏକ ବିଶେଷତ୍ୱ ହେଉଛି ରୂପାର ରେଳ, ଯାହାର ଟ୍ରାକ୍ ଡାଇନିଂ ଟେବୁଲ ଉପରେ ରହିଛି । ଏହି ଟ୍ରେନ୍ ଯୋଗେ ବିଶେଷ ଭୋଜିରେ ଖାଦ୍ୟ ପେୟ ପରଷାଯାଏ । ଏହା ବ୍ୟତୀତ ଏହି ଡାଇନିଂ ହଲରେ ହଲରେ ଇଟାଲୀ, ଫ୍ରାନ୍ସ, ଚୀନ୍ ଏବଂ ଅନ୍ୟାନ୍ୟ ଦେଶର ବିରଳ କଳାକୃତି ମଧ୍ୟ ରହିଛି।