ଛେଳି ଚୋରି କରିବାକୁ ଆସି କୂଅରେ ପଡିଲ ଚୋର

କେନ୍ଦୁଝର : ଚୋରି କରିବାକୁ ଆସି କୂଅରେ ପଡିଲା ଚୋର। ରାତି ସାରା କୂଅ ଭିତରେ ଥିବା ଚୋରକୁ ଆଜି ସକାଳୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଅଗ୍ନିଶମ ବିଭାଗ ସହାୟତାରେ କୂଅ ଭିତରୁ ବାହାରିଲା ଅଭିଯୁକ୍ତ ଚୋର । କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ ଥାନା ଅନ୍ତର୍ଗତ ଝାଲିଆବେଡା ଗାଁରେ ଗତ ରାତିରେ ଚୋରି କରିବାକୁ ଆସି କୂଅରେ ଗଳି ପଡିଥିଲା ।
କୂଅ ନିକଟରେ ଏକ ବାଇକ ଥିବା ବେଳେ ବାଇକରେ ଏକ ବ୍ୟାଗରେ ପଘା, ଦଉଡି ଆଦି ଥିବାରୁ ଚୋରି କରିବାକୁ ଆସିଥିବାବେଳେ ସେ କୂଅରେ ପଡିଯାଇଥିଲା । ଏନେଇ ଗ୍ରାମବାସୀ ବାରିଆ ପୋଲିସକୁ ସୂଚନା ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାକୁ ଥାନାକୁ ନେଇ ପଚରା ଉଚରା କରୁଛି । ଯୁବକ ଜଣକ ମୟୁରଭଞ୍ଜ ଜିଲ୍ଲା ହାଟବାଦଡା ଦେଓଗାଁର ଅରୁଣ ମହାନ୍ତ ବୋଲି ଜଣାପଡିଛି ।
ପୋଲିସ ନିକଟରେ ଛେଳି ଚୋରି କରିବାକୁ ଆସିଥିବା ସ୍ଵୀକାର କରିଛି ଅଭିଯୁକ୍ତ। ତେବେ ଚୋରି କରିବାକୁ ଆସିଥିବା ବ୍ୟକ୍ତିଙ୍କୁ ମାନବିକତା ଦେଖାଇଛନ୍ତି ଗ୍ରାମବାସୀ । ତାକୁ କୂଅରୁ ବାହାର କରିବା ସହ ନିଆଁ ଶେକ ଦେଇଥିଲେ। ରାତିସାରା ପାଣିରେ ରହିଥିବାରୁ ଅଭିଯୁକ୍ତ ଜଣକ ଅସୁସ୍ଥ ହୋଇ ପଡିଥିଲେ।