ଟାଙ୍ଗରା ଭୂଇଁରେ ଫଳାଇଛନ୍ତି ସୁନାର ଫସଲ, ପରିଣତ ବୟସରେ ମାନିନାହାନ୍ତି ହାର

ବାସୁଦେବପୁର: ପରିଣତ ବୟସରେ ହାରିଯାଇନାହାଁନ୍ତି । ଆଜିବି ଆଖିରେ ରହିଛି ଆଖିଏ ସ୍ଵପ୍ନ । ମନରେ ଅଦ୍ୟମ ସାହସ । ଆଉ କିଛି କରି ଦେଖାଇବାକୁ ରହିଛି ଇଚ୍ଛା । ସେହି ଇଚ୍ଛା ଆଜି ଦେଇଛି ସଫଳତା । ବାସୁଦେବପୁର ବ୍ଲକ ଚୂଡାମଣୀ ପଞ୍ଚାୟତ ତଳସାହିର ଶଙ୍କର୍ଷଣ ମଲ୍ଲିକ । ସେ ନିଜ ଟାଙ୍ଗରା ଭୂଇଁରେ ଫଳାଇଛନ୍ତି ସୁନାର ଫସଲ । ଆମ୍ବ, କଦଳୀ, ମୁଗ, ବିରି ଭଳି ବିଭିନ୍ନ ପନିପରିବା ଚାଷ କରିଛନ୍ତି  । ସବୁଠୁ ବଡ କଥା ହେଲା ସେ ନିଜଜ୍ଵ ଜ୍ଞାନ କୌଶଳରେ ଆଳୁ ଚାଷ କରି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଉତ୍ପାଦନ କରୁଛନ୍ତି । ପରିବା ଚାଷ କରି ନିଜ ପରିବାରର ଆବଶ୍ଯକତା ମେଣ୍ଟାଇବା ସହ ବର୍ଷକୁ ପାଞ୍ଚ ଲକ୍ଷ ଟଙ୍କାର ପରିବା ବିକ୍ରି କରୁଛନ୍ତି ।

ଶଙ୍କର୍ଷଣ ବ୍ଲକ ସ୍ତରରୁ ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଜଣେ ସଫଳ ଚାଷୀ ଭାବେ ବହୁ ପୁରସ୍କାର ପାଇ ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣି ସାରିଲେଣି । ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ଶଙ୍କର୍ଷଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତେବେ ବାସୁଦେବପୁର ବ୍ଲକର ଉଦ୍ୟାନ ବିଭାଗ ପକ୍ଷରୁ ୪୫ ଏକର ଜମିରେ ୧୫୦ ଜଣ ଚାଷୀଙ୍କୁ ଆଳୁ ଚାଷ ପାଇଁ ବିହନ ପ୍ରଦାନ କରାଯାଇଥିଲା । ହେଲେ ଚାଷୀ ଶଙ୍କର୍ଷଣ ଭିନ୍ନ ଢଙ୍ଗରେ ଅଳ୍ପ ଖର୍ଚ୍ଚ କରି ଅଧିକ ଲାଭବାନ ହୋଇପାରିଛନ୍ତି ବୋଲି କହିଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ ।