ଦିଲ୍ଲୀରେ ହେବ କି ମାସ୍କ ବାଧ୍ୟତାମୂଳକ? ଏସବୁ ରାଜ୍ୟରେ ଲାଗିଛି କଟକଣା
1 min readନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦୈନିକ ୩ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଯେଉଁଥିରୁ ଦିଲ୍ଲୀ-ଏନସିଆରରୁ ଦୈନିକ ୫୦୦ କେସ୍ ବାହାରୁଥିବା ଜଣାପଡିଛି। ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ବିଭିନ୍ନ ରାଜ୍ୟରେ କଟକଣା ଲାଗିବା ଆରମ୍ଭ ହୋଇଛି।
ଏହି ପରିପ୍ରେକ୍ଷୀରେ ହରିଆଣାରେ ୧୦୦ରୁ ଉର୍ଦ୍ଧ୍ୱ ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଏନେଇ ହରିଆଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି, ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମହାରାଷ୍ଟ୍ରର ସମସ୍ତ ସରକାରୀ ଅଫିସ୍, କଲେଜ ଓ ବ୍ୟାଙ୍କ ଗୁଡିକରେ ମାସ୍କ ପରିଧାନ ଜରୁରୀ ହୋଇଛି । ତାମିଲନାଡୁ ସରକାର ମଧ୍ୟ ମାସ୍କ ବ୍ୟବହାରକୁ ଜରୁରୀ କରିଥିବା ବେଳେ ଏପ୍ରିଲ୍ ୧ରୁ ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀରେ କିନ୍ତୁ ଏଯାବତ୍ କୌଣସି ନିଷ୍ପତ୍ତି ହୋଇନାହିଁ । ଯଦି କୋଭିଡ ମାମଲା ନିୟନ୍ତ୍ରଣ ନ ହୁଏ ତାହେଲେ ମାସ୍କ ଓ କଟକଣା ଖୁବଶୀଘ୍ର ଲାଗୁ ହୋଇପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ତେବେ କୋଭିଡ ସଂକ୍ରମଣକୁ ଦେଖି ଅନେକ କମ୍ପାନୀ ୱାର୍କ ଫ୍ରମ ହୋମ ଲାଗୁ କରିସାରିଲେଣି । ଆଉ ଯେଉଁ ଅଫିସ୍ ଖୋଲା ହୋଇଛି, ସେଠାରେ ଟେମ୍ପ୍ରେଚର ଚେକିଂ ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୪୧ ନୂଆ କୋଭିଡ଼ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୨୦ ହଜାରରୁ ଉର୍ଦ୍ଧ ରହିଛି ।