ଅଲମ୍ପିକ ହକି ଇତିହାସରେ ଭାରତ ଅଧ୍ୟାୟ

1 min read
These Are The Other Olympics In Which India Have Won Medals

ଭୁବନେଶ୍ୱର: ଟୋକିଓରେ ଇତିହାସ ରଚିଛି ଭାରତୀୟ ହକି ଟିମ୍ । ୪୧ ବର୍ଷ ପରେ ଭାରତକୁ ଅଲମ୍ପିକରେ ପଦକ ମିଳିଛି । ଜର୍ମାନୀ ସହ ରୋମାଞ୍ଚକର ମୁକାବିଲାରେ ବ୍ରୋଞ୍ଜ ହାତେଇଛି ଭାରତ । ଟୋକିଓରେ ୫-୪ ଗୋଲରେ ଭାରତ ବିଜୟୀ ହୋଇଛି ।

These Are The Other Olympics In Which India Have Won Medals

ଏହା ପୂର୍ବରୁ ଭାରତୀୟ ହକି ଟିମ୍ ୧୯୮୦ ମସିହାରେ ବାସୁଦେବନ ଭାସ୍କରନଙ୍କ ଅଧିନାୟକତ୍ୱରେ ମସ୍କୋ ଅଲମ୍ପିକରେ ସ୍ୱର୍ଣ୍ଣ ଜିତିଥିଲା । ଏବେ ଟୋକିଓରେ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତର ଅଲମ୍ପିକ ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଅଲମ୍ପିକରେ ଭାରତ ଜିତିଥିବା ୧୨ ପଦକ ଭିତରେ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ସହ ୩ଟି କାଂସ୍ୟ ରହିଛି । ଏଭଳି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ଏକମାତ୍ର ଦଳ ।

ହକିରେ ଶେଷଥର ପାଇଁ ୧୯୮୦ରେ ଭାରତ ପଦକ ଜିତିଥିଲା । ମସ୍କୋ ଅଲମ୍ପିକରେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ ବାସୁଦେବନ ଭାସ୍କରନ । ତାଙ୍କ ନେତୃତ୍ୱରେ ଭାରତୀୟ ହକି ଟିମ୍ ଗୋଲ୍ଡ ମେଡାଲ ପାଇଥିଲା । ତା’ପରେ ୧୯୮୪ରେ ଲସ୍ ଆଞ୍ଜେଲ୍ସ ଅଲମ୍ପିକରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଥିଲା । ଲସ୍ ଆଞ୍ଜେଲ୍ସ ଅଲମ୍ପିକରେ ଭାରତୀୟ ପୁରୁଷ ହକି ଦଳକୁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ତା’ପର ଠାରୁ ମେଡାଲ ଆଶାରେ ଥିଲା ଭାରତୀୟ ହକି ଦଳ । ଯାହା ଟୋକିଓରେ ପୂରଣ ହୋଇଛି ।

These Are The Other Olympics In Which India Have Won Medals

ଆସନ୍ତୁ ନଜର ପକାଇବା ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସ ଉପରେ । କେବେ, କେଉଁଠି କାହା ଅଧିନାୟକତ୍ୱରେ ଭାରତୀୟ ହକି ଦଳ ହାତେଇଥିଲା ଅଲମ୍ପିକ୍ ପଦକ…

ଦିନ ଥିଲା ହକିର ସର୍ବଶ୍ରେଷ୍ଠ ଟିମ୍ କହିଲେ ଭାରତକୁ ବୁଝୁଥିଲା ଦୁନିଆ । ସେତେବେଳେ ହକିର ଯାଦୁଗର ମେଜର ଧ୍ୟାନଚନ୍ଦ ସିଂଙ୍କ ୧୧ ଜଣିଆ ଟିମ୍ ବିପକ୍ଷ ଦଳ ଉପରେ ଭାରି ପଡ଼ୁଥିଲେ । ୧୯୨୮ରୁ ୧୯୫୬ ମସିହା ଭାରତୀୟ ହକି ଟିମ୍ ପାଇଁ ଥିଲା ସ୍ୱର୍ଣ୍ଣିମ ଯୁଗ । ସେ ସମୟରେ ଭାରତ ୬ ଥର ଅଲମ୍ପିକ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।

These Are The Other Olympics In Which India Have Won Medals

ଭାରତୀୟ ହକି ଟିମ୍ ଅଲମ୍ପିକରେ ପ୍ରଥମ ଥର ପାଇଁ ୧୯୨୮ରେ ସ୍ୱର୍ଣ୍ଣ ଜିତିଥିଲା । ଏମ୍ସଟର୍ଡମ ଅଲମ୍ପିକରେ ଭାରତୀୟ ହକି ଦଳକୁ ମିଳିଥିଲା ସ୍ୱର୍ଣ୍ଣ ପଦକ । ଉକ୍ତ ଅଲମ୍ପିକରେ ମେଜର ଧ୍ୟାନଚନ୍ଦ ଏକାକୀ ୧୪ଟି ଗୋଲ୍ ଦେଇଥିଲେ । ଯେତେବେଳେ କି ୫ଟି ମ୍ୟାଚରେ ଭାରତ ମୋଟ ୨୯ଟି ଗୋଲ୍ ଦେଇଥିଲା । ଫାଇନାଲରେ ଭାରତ-ନେଦରଲାଣ୍ଡକୁ ଭେଟିଥିଲା । ଧ୍ୟାନଚନ୍ଦଙ୍କ ଲଢ଼ୁଆ ପ୍ରଦର୍ଶନ ଦଳକୁ ଭେଟି ଦେଇଥିଲା ସ୍ୱର୍ଣ୍ଣ । ସବୁଠୁ ବଡ଼ କଥା ହେଲା ଏହି ଅଲମ୍ପିକରେ ଭାରତ ବିପକ୍ଷରେ କୌଣସି ଟିମ୍ ଗୋଟିଏ ବି ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ ।

ଏହା ପରେ ଭାରତୀୟ ହକି ଦଳ ୧୯୩୨ରେ ଲସ ଆଞ୍ଜେଲ୍ସ ଅଲମ୍ପିକ, ୧୯୩୬ରେ ବର୍ଲିନ ଅଲମ୍ପିକ, ୧୯୪୮ରେ ଲଣ୍ଡନ ଅଲମ୍ପିକ, ୧୯୫୨ରେ ହେଲସିଙ୍କି ଅଲମ୍ପିକ ଓ ୧୯୫୬ରେ ମେଲବର୍ଣ୍ଣ ଅଲମ୍ପିକରେ ଲଗାତାର ୬ ଥର ସ୍ୱର୍ଣ୍ଣ ପଦକ ଜିତିଥିଲା ।

୧୯୬୦ ରୋମ୍ ଅଲମ୍ପିକରେ ଭାରତ ଫାଇନାଲକୁ ଯାଇଥିଲା । ଲଗାତାର ସପ୍ତମ ଥର ସ୍ୱର୍ଣ୍ଣ ଜିତିବା ପାଇଁ ବେଶ୍ ଦମର ସହ ଲଢ଼ିଥିଲେ ଭାରତୀୟ ଖେଳାଳି । ଆଉ ପାକିସ୍ତାନ ଠାରୁ ୦-୧ରେ ହାରିବାକୁ ପଡ଼ିଥିଲା । ଫଳରେ ଭାରତକୁ ପ୍ରଥମ ଥର ପାଇଁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଆଉ ୧୯୬୪ରେ ଟୋକିଓରେ ରୋମ୍ ଅଲମ୍ପିକର ପ୍ରତିଶୋଧ ନେଇଥିଲା ଭାରତ । ଫାଇନାଲରେ ପୁଣିଥରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଭାରତ ରୋମର ଅଲମ୍ପିକର ପ୍ରତିଶୋଧ ନେଇ ସପ୍ତମ ସ୍ୱର୍ଣ୍ଣ ଜିତିଥିଲା ।

These Are The Other Olympics In Which India Have Won Medals

୧୯୬୮ରେ ମେକ୍ସିକୋ ଅଲମ୍ପିକରେ କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲା । ଏଥିସହ ୧୯୨୮ ପରେ ଭାରତ ପ୍ରଥମଥର ପାଇଁ ଫାଇନାଲରେ ସ୍ଥାନ ପାଇ ପାରି ନଥିଲା । ସେମି ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଠାରୁ ହାରିଥିଲା । ଏହା ପରେ ପଶ୍ଚିମ ଜର୍ମାନୀ ସହ ହୋଇଥିବା ମ୍ୟାଚ୍ ଜିତି ଭାରତ ବ୍ରୋଞ୍ଜ ପଦକ ପାଇଥିଲା । ଏବେ ଟୋକିଓରେ ତାର ପୁନରାବୃତ୍ତି ହୋଇଛି । ଭାରତ-ଅଷ୍ଟ୍ରେଲିଆ ଠାରୁ ହାରି ଫାଇନାଲକୁ ଯାଇ ପାରିନଥିବା ବେଳେ ଜର୍ମାନୀକୁ ୫-୪ରେ ହରାଇ ପୁଣି ଥରେ ବ୍ରୋଞ୍ଜ ହାତେଇଛି । ଏହା ପରେ ୧୯୭୨ରେ ମ୍ୟୁନିଖ ଅଲମ୍ପିକରେ ଭାରତ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା ।

୧୯୭୬ ମାଣ୍ଟ୍ରିୟଲ ଅଲମ୍ପିକ୍ ଭାରତୀୟ ହକି ଦଳ ପାଇଁ ବହୁତ ଖରାପ ଥିଲା । ପ୍ରଥମଥର ପାଇଁ ଭାରତୀୟ ହକି ଦଳ ନକ୍ ଆଉଟ୍ ପର୍ଯ୍ୟାୟ ପୂର୍ବରୁ ଅଲମ୍ପିକରୁ ବିଦାୟ ନେଇଥିଲା । ୧୯୨୮ ପରେ ପ୍ରଥମ ଥର ପାଇଁ ଭାରତ ଅଲମ୍ପିକରୁ ଖାଲି ହାତରେ ଫେରିଥିଲା । ଏହାପରେ ୧୯୮୦ରେ ମସ୍କୋ ଅଲମ୍ପିକରେ ଭାରତ ଲଢ଼ୁଆ ପ୍ରଦର୍ଶନ କରି ସ୍ପେନକୁ ମାତ୍ ଦେଇ ହକିରେ ଅଷ୍ଟମଥର ପାଇଁ ସ୍ୱର୍ଣ୍ଣ ଜିତିଥିଲା । ଟୋକିଓ ଅଲମ୍ପିକ ପୂର୍ବରୁ ହକିରେ ମସ୍କୋରେ ଭାରତକୁ ମିଳିଥିଲା ଶେଷ ପଦକ ।

Leave a Reply