ଆସନ୍ତା ଖରାଦିନରେ ରହିବନି ବିଦ୍ୟୁତ ସମସ୍ୟା

1 min read

ଭୁବନେଶ୍ୱର: ଆସନ୍ତା ଖରାଦିନରେ ରହିବନି ବିଦ୍ୟୁତ ସମସ୍ୟା । ପରୀକ୍ଷା ସିଜିନରେ କଟିବନି ବିଦ୍ୟୁତ। କାଳବୈଶାଖୀରେ ସରବରାହ ବିଚ୍ଛିନ୍ନ ହେଲେ ତୁରନ୍ତ ପୁନଃଅବସ୍ଥାପିତ କରାଯିବ। ଆକ୍ଟ ଅନ୍ ଟାଇମ ରହିବ ଜିରୋ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଦ୍ୟୁତ ବଣ୍ଟନ କମ୍ପାନୀ ଡିସକମ୍, ଉତ୍ପାଦନ ଓ ଗ୍ରିଡକୋକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଖରାଦିନେ ଗରମ ଓ ଗୁଳୁଗୁଳି ପ୍ରଚୁର ହେଉଛି। ଦିନ ଓ ରାତି ସମୟରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ଲୋକଙ୍କ ଜୀବନକୁ ଦୁର୍ବିସହ କରୁଛି।

ଲୋକଙ୍କୁ ୨୪ଘଣ୍ଟିଆ ନିରବଚ୍ଛିନ୍ନ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନେଇ ରାଜ୍ୟରେ ବଳିଷ୍ଠ ବିଦ୍ୟୁତ ଭିତ୍ତିଭୂମି ରହିଛି। ଗତବର୍ଷ ଗ୍ରୀଷ୍ମରେ ସନ୍ଧ୍ୟା ୬ରୁ ରାତି ୧୦ଟା ପିକ୍ ଆଓ୍ବାର୍ ଡିମାଣ୍ଡ୍ ଥିଲା ୪ ହଜାର ୭୦୦ ମେଗା ଓ୍ବାଟ୍ । ଚଳିତବର୍ଷ ବିଦ୍ୟୁତ ଚାହିଦା ଆଉ ୮ ପ୍ରତିଶତ ବୃଦ୍ଧି ନେଇ ଆକଳନ କରିଛି ଗ୍ରିଡକୋ। ଏ ବର୍ଷ ପିକ୍ ଆଓ୍ବାର୍ରେ ୫ ହଜାର ୨୦୦ରୁ ୫ ହଜାର ୩୦୦ ମେଗାଓ୍ବାଟ୍ ବିଦ୍ୟୁତ ଚାହିଦା ରହିବ। ଏଥିପାଇଁ ଗ୍ରିଡକୋ ପାଖରେ ପର୍ଯ୍ୟାପ୍ତ ବିଦ୍ୟୁତ ରହିଛି । ଅଭାବ ହେଲେ ମଧ୍ୟପ୍ରଦେଶରୁ ବିଦ୍ୟୁତ ବ୍ୟାଙ୍କିଂ ଚୁକ୍ତିନାମା ଅନୁଯାୟୀ ୨୦୦ ମେଗାଓ୍ବାଟ୍ ବିଦ୍ୟୁତ ଅଣାଯିବ। ଖରାଦିନକୁ ଆଖିରେ ରଖି ଜଳବିଦ୍ୟୁତ ଶକ୍ତିକୁ ସଂରକ୍ଷଣ କରି ରଖାଯାଉଛି। ନାଲକୋ, ଆର୍ଏସ୍ପିର ସିଜିପିରୁ ୧୦୦ ମେଗାଓ୍ବାଟ୍ ପାଇଁ ଗ୍ରିଡକୋ ବ୍ୟବସ୍ଥା କରିଛି । ଯେ କୌଣସି ସ୍ଥିତିରେ ବଣ୍ଟନ କମ୍ପାନୀ ପାଖରେ ବିଦ୍ୟୁତ ଉପଲବ୍ଧି କରିବାକୁ ବ୍ୟବସ୍ଥା କରିଛି ଗ୍ରିଡକୋ।

ଗତବର୍ଷ କାଳବୈଶାଖୀରେ ବିଦ୍ୟୁତ ସରବରାହ ପୁନଃଅବସ୍ଥାପିତ କରିବାରେ ଟାଟା ପାଓ୍ବାର ଅଧିକ ସମୟ ନେଲା । ଯେଉଁଥିପାଇଁ ମୁଖ୍ୟଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ । ଚଳିତବର୍ଷ ବି ବଣ୍ଟନ କମ୍ପାନୀ TPCODL, TPSODL, TPNODL, TPWODL କୁ କଡ଼ା ତାଗିଦ୍ କରାଯାଇଛି । ଭୁବନେଶ୍ବର, କଟକ ସମେତ ଅନେକ ସହରାଞ୍ଚଳରେ ଗୋଟିଏ ଲେଖାଏଁ ଟ୍ରାନ୍ସ୍ଫର୍ମର୍ ଉପରେ ଥିବା ଓଭରଲୋଡିଂ କମାଇବା ପାଇଁ ନୂଆ କଣ୍ଡକ୍ଟର୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖରାଦିନେ ଗ୍ରାହକଙ୍କ ସୁବିଧା ପାଇଁ ଅଧିକ କଷ୍ଟମର୍ ହେଲ୍ପ୍ ଲାଇନ୍ ଉପଲବ୍ଧ କରିବାକୁ ବଣ୍ଟନ କମ୍ପାନୀ ଟାଟା ପାଓ୍ବାରକୁ ନିର୍ଦ୍ଦେଶ ଦିଆଯାଇଛି।