ଅପେରା ଓ ମେଲୋଡି ପାଇଁ ଆସିଲା ଗାଇଡଲାଇନ୍, ଅଶ୍ଳୀଳତା ଉପରେ କଟକଣା ଲଗାଇଲା ସଂସ୍କୃତି ବିଭାଗ

ଭୁବନେଶ୍ୱର: ଅପେରା ଓ ମେଲୋଡିରେ ଅଶ୍ଳୀଳତା ଓ ଦ୍ବିଅର୍ଥ ବୋଧକ ସଂଳାପ ଉପରେ ଲାଗିଲା କଟକଣା । କଟକଣା ଜାରି କରିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ଯାତ୍ରା ଓ ମେଲୋଡିରେ ଅଶ୍ଳୀଳ ଦୃଶ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରା ଓ ମେଲୋଡି ପାଇଁ ଅନୁମିତ ନେବାବେଳେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବାକୁ କୁହାଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଏପରି ଚିଠି ଲେଖାଯାଇଛି ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯାତ୍ରା ଓ ମେଲୋଡି ରାଜ୍ୟରେ ରାଜ୍ୟରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ । କିନ୍ତୁ ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱଅର୍ଥବୋଧକ ସଂଳାପ ଓ ଅଭିନୟ ଦ୍ୱାରା ପରିବାର ସହ ଏଭଳି ଯାତ୍ରା ଦେଖିବା ସମ୍ଭବ ହେଉନି । ଏହାଦ୍ୱାରା ଯୁବପିଢ଼ି ବିପଥଗାମୀ ହେଉଛନ୍ତି । ତେଣୁ ଏହାକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ସଂସ୍କୃତି ବିଭାଗର ଏଭଳି ନିର୍ଦ୍ଦେଶନମାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।