କରୋନା ସଂକଟରେ ପୂର୍ତ୍ତ ବିଭାଗର ହେବ ଖର୍ଚ୍ଚକାଟ, ୨ ବର୍ଷ ପର୍ଯ୍ୟନ୍ତ ହେବନି ନୂଆ ଟେଣ୍ଡର

ଭୁବନେଶ୍ୱର: ମହାମାରୀ ଯୋଗୁଁ ରାଜ୍ୟ ଅର୍ଥନୀତିର ସ୍ଥିତି ବିଗିଡ଼ିଛି । ଅର୍ଥନୀତି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଅର୍ଥ ବିଭାଗ ପରେ ଏବେ ପୂର୍ତ୍ତ ବିଭାଗ ବିଭିନ୍ନ କଟକଣା ଜାରୀ କରିଛି । କରୋନା ଯୋଗୁଁ ବଡ଼ବଡ଼ ପ୍ରକଳ୍ପରେ ହାତ ନମାରିବାକୁ ଚିଠିରେ ନିର୍ଦ୍ଦେଶନାମା ଜାରୀ କରିଛି ବିଭାଗ । ଏପରିକି ନିହାତି  ଆବଶ୍ୟକ ନଥିଲେ ମରାମତି କାମ ବି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେହେତୁ ପୂର୍ତ୍ତ ବିଭାଗର ଉନ୍ନୟନ କାମରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୁଏ ସେଥିଲାଗି ବିଭାଗ ଏପରି ନିଷ୍ପତି ନେଇଛି ।

ଚଳିତ  ଆର୍ଥିକବର୍ଷରେ ନୂଆ ଟେଣ୍ଡର ପ୍ରକ୍ରୀୟା ଉପରେ ରୋକ ଲଗାଇବା ସହ ଅତିଜରୁରୀ ଆବଶ୍ୟକ ନଥିଲେ ପୁରୁଣା ଟେଣ୍ଡର ୱାର୍କ ଅର୍ଡ଼ର ବି ବାତିଲ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଛି ପୂର୍ତ୍ତବିଭାଗ । ଏହାସହ ୫କୋଟିରୁ ଅଧିକ ଟେଣ୍ଡର କାମ ଥିଲେ ଅର୍ଥବିଭାଗର ଅନୁମତି ନେବା ପାଇଁ ନିର୍ଦ୍ଦେଶନାମରେ କୁହାଯାଇଛି । ରାଜ୍ୟ ସରକାରଙ୍କ ଏପରି ଖର୍ଚ୍ଚକାଟ ନିଷ୍ପତିକୁ ଅର୍ଥନୈତିକ ବିଶେଷଜ୍ଞମାନେ ସ୍ୱାଗତ କରିଛି ।

କେବଳ ସେତିକି ନୁହେଁ । ୨ବର୍ଷ ଯାଏ କୌଣସି ସର୍କିଟ ହାଉସ ,ଗେଷ୍ଟ ହାଉସ ଓ ସରକାରଙ୍କ ଘରର ନିର୍ମାଣ ଉପରେ ବି ରୋକ ଲଗାଯାଇଛି । ହେଲେ ବିକାଶମୂଳକ କାର୍ଯ୍ୟକ୍ରମ ଚାଲୁରହିବ । ଯେହେତୁ ୫ମାସ ହେବ ରାଜ୍ୟ ରାଜସ୍ୱ ଆଦାୟ ପୁରା ଠପ ହୋଇଯାଇଛି । ତେଣୁ ରାଜ୍ୟ ସରକାର ଖର୍ଚ୍ଚକାଟ କରିବାକୁ ବାଧ୍ୟ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି । ଏହାସହ  ଆହୁରୀ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ କରିବାକୁ ସେ ଦାବି କରିଛନ୍ତି ।

ପୂର୍ବରୁ ଅର୍ଥ ବିଭାଗ ମଧ୍ୟ ଖର୍ଚ୍ଚକାଟ କରିବା ପାଇଁ  ଲମ୍ବା ଖସଡ଼ା ପ୍ରସ୍ତୁତ କରିଛି । ଆଗକୁ ଯଦି ଆର୍ଥିକ ବ୍ୟବସ୍ଥାରେ ସୁଧାର ନଆସେ ତେବେ ସରକାରୀ ସ୍ତରରେ ଅଧିକ ଖର୍ଚ୍ଚକାଟ ଯେ କରାନଯିବ ଏ ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ।

(ଭୁବନେଶ୍ୱରରୁ ଚିନ୍ମୟ ମହାପାତ୍ର)

Leave a Reply