ଓଡ଼ିଶା ଲୋକଙ୍କ ମନୋବଳ ବୃଦ୍ଧି କଲେ ଆଗାମୀ ୧୨ ବର୍ଷରେ ୩ ଗୁଣା ଉନ୍ନତି ହେବ

1 min read

ଭୁବନେଶ୍ବର: ଆରମ୍ଭ ହେଲା ଜାତି ନନ୍ଦିଘୋଷ କନକ୍ଲେଭ୍ ୨୦୨୪ । କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଏକାମ୍ର ପ୍ରକଳ୍ପ ଉପଦେଷ୍ଟା ଡକ୍ଟର ସଂତୃପ୍ତ ମିଶ୍ର । ଏହି ଅବସରରେ ସ୍ବାଗତ ଭାଷଣ ରଖିଛନ୍ତି ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନଓ୍ବର । ଏହା ସହ ମଞ୍ଚରେ ଉପସ୍ଥିତ ଅଛନ୍ତି ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ।

ଏହି ଅବସରରେ ପ୍ରଥମେ ଅଭିଭାଷଣ ରଖିଥିଲେ ଏକାମ୍ର ପ୍ରକଳ୍ପ ଉପଦେଷ୍ଟା ଡକ୍ଟର ସଂତୃପ୍ତ ମିଶ୍ର । ସେ କହିଥିଲେ ଯେ, ସମସ୍ତଙ୍କୁ ଏକାଠି ବାନ୍ଧି ପ୍ରଗତି ଏବଂ ଭବିଷ୍ୟତର ଉନ୍ନତି ବିଷୟରେ ଚର୍ଚ୍ଚା କରୁଥିବାରୁ ଧନ୍ୟବାଦ । ବିଗତ ୨୪ ବର୍ଷରେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ବହୁତ ପ୍ରଗତି କରିଛି । ଓଡ଼ିଶାରେ ଶସ୍ୟ ଉତ୍ପାଦନ ଅଢ଼େଇ ଗୁଣ ଅଧିକା ହୋଇଛି । ପରିବା ଉତ୍ପାଦନ ୩ ଗୁଣ ଅଧିକା ହୋଇଛି । ପୂର୍ବରୁ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲାବେଳେ ଏବେ କିନ୍ତୁ ମାତ୍ର ୧୦ରୁ ୧୧ ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଅଛନ୍ତି । ଏହି ସବୁ ଏହି ୨୪ ବର୍ଷ ଭିତରେ ସମ୍ଭବ ହୋଇଛି । ୨୦୩୬ରେ ଆମେ ଓଡ଼ିଶାରେ କ’ଣ ପରିବର୍ତ୍ତନ ଦେଖିବାକୁ ଚାହିଁବେ ସେ ନେଇ ମତ ରଖିଥିଲେ ସଂତୃପ୍ତ ମିଶ୍ର ।

ବିଗତ ୨୪ ବର୍ଷରେ ଆମେ ଯାହା କିଛି କରିଛେ ତାହାର ୩ ଗୁଣ ଆମେ ଆଗାମୀ ୧୨ ବର୍ଷରେ କରିବା । ଅର୍ଥନୀତିରେ ଏହି ବିକାଶ ହୋଇପାରିବ । ୧୯୪୭ ଏବଂ ୧୯୪୯ରେ ଚାଇନା ଏବଂ ଭାରତ ଗୋଟିଏ ସ୍ଥରରେ ଥିଲେ । ଏବେ ଦୁଇ ଜଣ ନୂଆ ଅବତାରକୁ ଆସିଛନ୍ତି । ସେତେବେଳେ ଚାଇନା ଏବଂ ଭାରତର ମୁଣ୍ଡପିଛା ଆୟ ଏକା ଥିଲା । ଏତେ ଏହାରି ଭିତରେ ଆକାଶ ପାତାଳ ଫରକ ରହିଛି । ସେ ତାଙ୍କ ଲୋକଙ୍କ ମନୋବଳ ଏକାଠି କରି ଦେଶକୁ କିପରି ଆଗକୁ ନେବେ ସେ ବିଷୟରେ ଭାବିଲେ । ଯଦି ଆମେ ଓଡ଼ିଶାରେ ସେହିଭଳି ଲୋକମାନଙ୍କର ମନୋବଳ ବୃଦ୍ଧି କରିପାରିବା ତାହାଲେ ଆଗାମୀ ୧୨ ବର୍ଷରେ ୩ ଗୁଣା ଉନ୍ନତି ଓଡ଼ିଶାରେ ହୋଇ ପାରିବ ।

ଏହା ପରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ନିଜର ଅଭିଭାଷଣ ରଖିଥିଲେ । ସେ କହିଥିଲେ ଯେ, ନନ୍ଦିଘୋଷର ଯୌବନ ପ୍ରାପ୍ତି ହୋଇଛି । ଶୈଶବରୁ ଯୁବକ ଅବସ୍ଥାକୁ ଆସିଛି ନନ୍ଦିଘୋଷ ଟିଭି । ଖୁବ କମ୍ ସମୟ ମଧ୍ୟରେ ନନ୍ଦିଘୋଷ ଦର୍ଶକୀୟ ଆଦୃତ ଲାଭ କରିଛି । ଏହା ସହ ସକାଳ ଖବର କାଗଜ ମଧ୍ୟ ତାର ପାଠକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ନନ୍ଦିଘୋଷ ଟିଭି ଏବଂ ସକାଳ ଖବର କାଗଜ ନିଜସ୍ବ ବିଲ୍ଡିଂକୁ ସ୍ଥାନାନ୍ତରୀତ ହୋଇସାରିଛି । ଆମେ ଏବେ HDରେ କାମ କରୁଛୁ । ସବୁ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ସହ ଆମେ ଖବର ପରିବେଷଣ କରୁଛୁ । ସକାଳର ଯେତେବେଳେ ପରିକଳ୍ପନା କରାଯାଇଥିଲା ସେତେବେଳେ ବହୁ ଲେକେ ବହୁତ କଥା କହିଥିଲେ । କିନ୍ତୁ ସକାଳ ଆଜି ମହାଦ୍ରୁମରେ ପରିଣତ ହୋଇଛି ।