ବଢ଼ିଲା ଖଣ୍ଡଗିରି ଓ ଉଦୟଗିରିର ସୁରକ୍ଷା, ଫାଟକ ଦେଇ ଗଡ଼ିବନି କୌଣସି ଗାଡ଼ି

1 min read

ଭୁବନେଶ୍ୱର: ବଢ଼ିଲା ଖଣ୍ଡଗିରି ଓ ଉଦୟଗିରିର ସୁରକ୍ଷା ଚିନ୍ତା । ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁ ବଢ଼ୁଛି ବିପଦ । ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କଲା ପ୍ରଶାସନ । ଖଣ୍ଡଗିରି ଓ ଉଦୟଗିରି ରାସ୍ତାରେ ଏଣିକି ଆଉ ଗଡ଼ିବନି ଯାନବାହନ । ହାଲୁକା କି ଭାରିଯାନ ନୁହେଁ ବରଂ ମୋଟର ସାଇକେଲ ଚଳାଚଳ ଉପରେ ମଧ୍ୟ ଲାଗିଛି ରୋକ୍। ସମ୍ପୃକ୍ତ ଅଞ୍ଚଳ ASI ବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଥିବା ବେଳେ ଏହାକୁ ଭାରିଯାନ ଚଳାଚଳ ନିଷିଧାଞ୍ଚଳ ଘୋଷଣା କରାଯାଇଛି । ପୂର୍ବରୁ ଖଣ୍ଡଗିରି ଛକରେ ଥିବା ବ୍ୟାରିକେଡକୁ ଖଣ୍ଡଗିରି ଯାତ୍ରା ସମୟରେ ଉଦ୍ଦେଶ୍ୟମୂଳକ ଭାବେ ଉଠାଇ ଦିଆଯାଇଥିଲା । ଯାହାକୁ ଆଜି ପର୍ଯ୍ୟନ୍ତ ପୁନଃସ୍ଥାପନ କରାଯାଇନାହିଁ । ଫଳରେ ଉକ୍ତ ରାସ୍ତାରେ ବହୁସଂଖ୍ୟାରେ ଭରିଯାନ ବେନିୟମ ଭାବେ ଚଳାଚଳ କରି ଉଭୟ କୀର୍ତ୍ତରାଜି ପ୍ରତି ବିପଦ ସୃଷ୍ଟି କରିଛି। ASIର  ଅନୁରୋଧ ଓ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସମ୍ପୃକ୍ତ ରାସ୍ତାରେ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

କଟକଣା ଲାଗୁ ପରେ ଖଣ୍ଡଗିରି ଓ ଉଦୟଗିରି ରାସ୍ତା ସମ୍ପୂର୍ଣ୍ଣ ଖାଁ ଖାଁ । ଗାଡ଼ି ଚଳାଚଳ ବନ୍ଦ ପରେ ଲକଡାଉନ ଓ ସଟଡାଉନ ଭଳି ଭ୍ରମ ସୃଷ୍ଟି ହେଉଛି । ଯାତ୍ରୀଙ୍କ ପାଇଁ ମାଗଣା ପାର୍କିଂ ବ୍ୟବସ୍ଥା କରାଯାଇଛି । ଫଳରେ ଦୂରରେ ଗାଡ଼ି ରଖି ଚାଲି ଚାଲି ଆସିବାକୁ ପଡ଼ୁଛି । ଯାତ୍ରୀଙ୍କ ସୁରକ୍ଷା ଓ ପ୍ରାଚୀନ କୀର୍ତିରାଜିର ସୁରକ୍ଷାକୁ ନେଇ ପ୍ରଶାସନର ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଭାରିଯାନ ଚଳାଚଳ ଯୋଗୁଁ ଭାଇବ୍ରେସନ ହୋଇ ପଥର ଖସିବା ଓ ସେଥିରେ ଫାଟ ସୃଷ୍ଟି ହେବାର ଆଶଙ୍କା କରି ଖଣ୍ଡଗିରି ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ପୂର୍ବରୁ ଏନେଇ ଦାବି ହୋଇଥିଲା । ଏବେ ଫାଟକ ନିର୍ମାଣ କରି ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଥିବା ବେଳେ ଏହାକୁ ସବୁଦିନିଆ କରିବାକୁ ଦାବି ହୋଇଛି ।