ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ଜଳସ୍ତର ଆହୁରି କମିବ: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ଯରେ ଲଗାଣ ବର୍ଷା ସତ୍ତ୍ବେ ବନ୍ଯା ସ୍ଥିତି ଉପୁଜିନାହିଁ । ତେବେ ଉପର ମୁଣ୍ଡରେ ସେପରି ବର୍ଷା ନଥିବାରୁ ଜଳସ୍ତର ଯାହା ଅଛି ତାହା ଆହୁରି କମିବ ବୋଲି କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ତଥାପି ସବୁଠି ବିଭାଗୀୟ ଅଫିସର ସଜାଗ ଅଛନ୍ତି ବୋଲି କହିଛନ୍ତି ଇଆଇସି ।

ଅନ୍ଯପଟେ ଦିନ ୧୧ ଟା ସୁଦ୍ଧା ହୀରାକୁଦରେ ଜଳସ୍ତର ୬୧୨.୫ ଫୁଟ ରହିଛି । ଏବେ ୨ ଲକ୍ଷ ୬୦ ହଜାର କ୍ୟୁସେକ ପ୍ରବାହିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରରେ ୧୪ଟି ଗେଟ୍ ଖୋଲା ଅଛି । ଏଥିରେ ୨ ଲକ୍ଷ ୫୦ ହଜାର କ୍ୟୁସେକ ନିଷ୍କାସିତ ହେଉଛି । ଖଇରାମାଳରେ ଦିନ ୧୧ ସୁଦ୍ଧା ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଖଇରାମାଳରୁ ଏବେ ଜଳସ୍ତର କମୁଛି । ମୁଣ୍ଡଳୀରେ ସର୍ବାଧିକ ୫ ଲକ୍ଷ ୯୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିଲା । ଏବେ ୫ ଲକ୍ଷ ୫୦ ହଜାର କ୍ଯୁସେକ ପାଣି ପ୍ରବାହିତ ହେଉଛି ।

ଆଜି ରାତି ସୁଦ୍ଧା ମୁଣ୍ଡଳୀରୁ ପିକ ଅତିକ୍ରମ କରିବ। ଦୟା, ଭାର୍ଗବୀର ତଳ ଅଞ୍ଚଳକୁ ପାଣି ପଶିପାରେ । କଣାସ, ଧନୁଆ, ବାଙ୍କୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜି ପାରେ । କେବଳ ବୈତରଣୀ ନଦୀ ଜଳସ୍ତର ବୃଦ୍ଧି ପାଉଛି । ଆଖୁଆପଦାରେ ବିପଦ ସଂକେତ ୧୮.୩୩ ଥିବାବେଳେ ଏବେ ଜଳସ୍ତର ୧୭.୩ ମିଟର ରହିଛି । ଏହା ମଧ୍ୟ କମିବ ବୋଲି କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ସବୁ ନଦୀରେ କମ ଜଳ ପ୍ରବାହିତ ହେଉଛି । ତାହା ଆହୁରି କମିବ ବୋଲି କହିଛନ୍ତି ଯନ୍ତ୍ରୀ ।

ସ୍ବାସ୍ଥ୍ୟ ବିଭାଗ ସଜାଗ

ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ସତର୍କ ଓ ସଜାଗ ରହିଛି । ବିଶୁଦ୍ଧ ପାନୀୟ ଜଳ ଉପରେ ଗୁରୁତ୍ୱ ଦେଇଛି ବିଭାଗ । ଯେଉଁ ଅଞ୍ଚଳରେ ବନ୍ୟା ହେଉଛି ବା ହେବାର ସମ୍ଭାବନା ଅଛି, ସେହି ସବୁ ଅଞ୍ଚଳରେ ବ୍ୟାପକ ମାତ୍ରାରେ ହାଲୋଜେନ ବଟିକା ଦିଆଯାଇଛି । ପାଣିର ମାତ୍ରା ନିୟମିତ ଭାବେ ପରୀକ୍ଷା କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ରାଜ୍ୟର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦ଟି ଲେଖାଏଁ ସାପ କାମୁଡା ଇଂଜେକସନ ମହଜୁଦ ରଖାଯାଇଛି । ସବୁ ଜାଗାରେ ସ୍ୱାସ୍ଥ୍ୟ ବିଭାଗର ଟିମକୁ ଆଲର୍ଟ ରଖାଯାଇଛି । ରାୟଗଡା ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣରେ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ମୃତ୍ୟୁ ହୋଇନାହିଁ । ବର୍ଷା ଦିନେ ଝାଡ଼ାବାନ୍ତି ସାଧାରଣତଃ ସବୁଠି ହୋଇଥାଏ । ପିଇବା ପାଣି ଉପରେ ସମସ୍ତଙ୍କୁ ନଜର ରଖିବାକୁ ପଡିବ ସେ କହିଛନ୍ତି ।