ସରକାର ଶୁଣୁନାହାନ୍ତି, ୨୦୨୫ରେ ବି ଦରଦାମ କମିବା ଆଶ କ୍ଷୀଣ

ଭୁବନେଶ୍ବର: ସମସ୍ତଙ୍କ ମନେରେ ଗୋଟିଏ ପ୍ରଶ୍ନ, କେବେ ମହଙ୍ଗା ମାଡ଼ରୁ ମିଳିବ ମୁକ୍ତି ? ଆଗକୁ ନୂଆବର୍ଷ । ହେଲେ ଲୋକଙ୍କ ମନରେ ନାହିଁ ଉତ୍ସାହ । କାରଣ ସରକାରଙ୍କ ଅପାରଗତାରୁ ଦରଦାମ ଲୋକଙ୍କ ପକେଟ କରୁଛି ଖାଲି । ଆଜି ବି ଆଳୁ ପିଆଜ ପରି ସମସ୍ଯାରେ ମୁକ୍ତି ପାଇପାରୁ ନାହାନ୍ତି ଲୋକେ । ପଶ୍ଚିମବଙ୍ଗରୁ ଏଯାଏଁ ସ୍ୱଭାବିକ ଭାବେ ଆଳୁ ଆମଦାନି ହେଉ ନଥିବାବେଳେ ୟୁପି ଆଳୁ ଖାଉଟିଙ୍କ ଚାହିଦା ମେଣ୍ଟାଉଛି । ତଥାପି ୪୦ରୁ ଖସୁନି ଦର ।

ହାତରେ ଆଉ ଦିନି ତିନିଟି । ୨୦୨୪ ଯିବ ଓ ୨୦୨୫ ଆସିବ । ହେଲେ ପ୍ରତିବର୍ଷ ପରି ଚଳିତ ନୂଆବର୍ଷକୁ ସ୍ବାଗତ କରିବାକୁ ଲୋକଙ୍କ ମନରେ ନାହିଁ ଉତ୍ସାହ । କାରଣ ଦର ବୃଦ୍ଧିରେ କଲବଲ ହେଉଛନ୍ତି ଖାଉଟି । ୨୦୨୪ର ଅଧାମାସ କନ୍ଦାଇଲା । ହେଲେ ସମସ୍ୟା ହୋଇପାରିନି ସମସ୍ୟା । ୨୦୨୫ରେ ମଧ୍ଯ ସ୍ଥିତି ସୁଧୁରିବ ନାହିଁ ବୋଲି ପୂର୍ବାନୁମାନ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ବଭାବିକ ହୋଇ ନଥିବାବେଳେ ଗ୍ରାହକଙ୍କ ଚାହିଦା ମେଣ୍ଟାଉଛି ୟୁପି ଆଳୁ । ହେଲେ ଖୁଚୁରା ବ୍ଯବସାୟୀ ମନଇଛା ରେଟ୍ କରୁଥିବାରୁ ୪୦ ଟଙ୍କା ତଳକୁ ଖସୁନି ଆଳୁ ଦର । ତେଣୁ ଗ୍ରାହକଙ୍କ ପାଇଁ କିଛି ଭଲ ହେବ ବୋଲି ଆଶା ନାହିଁ ବୋଲି ଆଗୁଆ ପୂର୍ବାନୁମାନ କରିଛି ବ୍ୟବସାୟୀ ମହାସଂଘ । ଏହାସହ କୌଣସି ପ୍ରସଙ୍ଗରେ ସରକାର ସହଯୋଗ କରୁ ନଥିବା ସଂଘ ଅଭିଯୋଗ କରିଛି । ସେପଟେ ୨୪ର ତିକ୍ତ ଅନୁଭୁତିରୁ ମୁକୁଳିବାକୁ କ୍ଷୁଦ୍ର ବ୍ୟବସାୟୀ ବି ଚାହୁଁଥିବା କହିଛନ୍ତି ।

ଦରଦାମ ବୃଦ୍ଧି, ଆଳୁ ସଙ୍କଟ ଯୋଗୁଁ ଲଗାତର ଯୁଝି ହେଉଥିବା ସାଧାରଣ ଲୋକେ ସରକାରଙ୍କ ଉପରୁ ସବୁ ଆଶା ହରାଇ ସାରିଲେଣି । ଓଡ଼ିଶାରେ କ୍ରିୟାଶୀଳ ସରକାର ନୁହେଁ, ଏବେ ପାସିଭ ସରକାର ଚାଲିଛି କହି ବର୍ଷିଛି ସିଟିଜେନସ ଫୋରମ । ନୂଆ ସରକାରରେ ୭ ମାସ ହେଲାଣି । ସରକାରଙ୍କ କାର୍ଯ୍ୟ ଲୋକେ ଦେଖିସାରିଲେଣି । ରାଜ୍ୟରେ କୃଷିକ୍ଷେତ୍ର ଦୁର୍ବଳ ହେଲାଣି । କୃଷକ କ୍ଷତିଗ୍ରସ୍ତ ହେଲେଣି । ଆଉ ଉତ୍ପାଦନ ବୃଦ୍ଧି ନେଇ ବି ସମ୍ଭାବନା ଦେଖାଯାଉନାହିଁ । ବିକାଶମୂଳକ କାର୍ଯ୍ୟ ଯେଉଁଠି ସେଇଠି ରହିବା ବଦଳରେ ତଳକୁ ଖସିଲାଣି । ଯାହା ଫଳରେ ନୂଆବର୍ଷରେ ସବୁ ବର୍ଗର ଲୋକେ ରାସ୍ତାକୁ ଓହ୍ଲାଇବେ ଓ ଏକ ରାଷ୍ଟ୍ର ବିପ୍ଳବ ହୋଇପାରେ ବୋଲି ଆଶଂକା ପ୍ରକଟ କରିଛି ସିଟିଜେନ ଫୋରମ ।

ରାଜ୍ୟରେ ଦରଦାମ ସ୍ଥିତି ଓ ସରକାରଙ୍କ ଆଭିମୁଖ୍ୟ ପ୍ରସଙ୍ଗରେ ନୂଆବର୍ଷରେ ନୂଆ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛି ବ୍ୟବସାୟୀ ମହାସଂଘ । ଆସନ୍ତା ୬ ଓ ୭ ତାରିଖରେ ଦିଲ୍ଲୀରେ ବ୍ୟବସାୟୀ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବ । ଓଡ଼ିଶାର ବ୍ୟବସାୟିକ ସମସ୍ୟା, ଗ୍ରାହକଙ୍କ ସମସ୍ୟା ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ଆଲୋଚନା ହେବ । ଦକ୍ଷିଣ ଓଡ଼ିଶାର ବ୍ୟବସାୟୀଙ୍କୁ ନେଇ ଜାନୁୟାରୀ ୧୯ ତାରିଖରେ ମଧ୍ୟ ଭବାନୀପାଟଣାରେ ହେବ ସମାବେଶ । ଏସବୁ ମାଧ୍ୟମରେ ବିକଳ୍ପ ପନ୍ଥା ବାହାର କରିବାକୁ ଯୋଜନା କରାଯାଉଛି ବୋଲି କୁହାଯାଇଛି ।