ପରମାଣୁ ଆକ୍ରମଣ ଧମକ ପରେ ଋଷର ପଛଘୁଞ୍ଚା, ୟୁକ୍ରେନରେ ପରମାଣୁ ଆକ୍ରମଣ ନେଇ ଯୋଜନା ନାହିଁ: ପୁଟିନ୍

1 min read

ମସ୍କୋ: ପରମାଣୁ ଆକ୍ରମଣ ଧମକ ପରେ ଋଷର ପଛଘୁଞ୍ଚା । ୟୁକ୍ରେନରେ ପରମାଣୁ ଆକ୍ରମଣ ନେଇ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନରେ ଜୈବିକ ଅସ୍ତ୍ର ପ୍ରୟୋଗ କରିବା ବା ପରମାଣୁ ଆକ୍ରମଣ କରିବା ଋଷର ଉଦ୍ଦେଶ୍ୟ ନୁହେଁ । ନ୍ୟୁକ୍ଲିଅର ଆଟାକ ନେଇ ହେଉଥିବା ଆଲୋଚନା ଆମେରିକାର ଦ୍ବାରା ପରିକଳ୍ପିତ । ୟୁକ୍ରେନରେ ନ୍ୟୁକ୍ଲିଅର ଷ୍ଟ୍ରାଇକ ନୁହେଁ, ମିଲିଟାରୀ କିମ୍ବା ରାଜନୈତିକ ହମଲା କରାଯାଇପାରେ ବୋଲି ପୁଟିନ କହିଛନ୍ତି ।

ସେହିପରି ଋଷ-ୟୁକ୍ରେନ ଯୁଦ୍ଧକୁ ଅତି ଭୟଙ୍କର କରୁଥିବାରୁ ପଶ୍ଚିମୀ ରାଷ୍ଟ୍ର ଉପରେ ବର୍ଷିଛନ୍ତି ଋଷ । ଯୁଦ୍ଧକୁ ଭୟଙ୍କର କରିବାରେ ଇନ୍ଧନ ଦେଉଛି ପଶ୍ଚିମୀ ରାଷ୍ଟ୍ର । ପୁରା ବିଶ୍ୱରେ ଦବଦବା ଜାହିର କରିବା ପାଇଁ ପଶ୍ଚିମୀ ରାଷ୍ଟ୍ର ସମୁହ ୟୁକ୍ରେନକୁ ଢାଲ କରୁଛି ବୋଲି ପୁଟିନ କହିଛନ୍ତି । ଏବେ ବିଶ୍ୱରେ କେହି ପାଓ୍ୱାର ସେଣ୍ଟର ନାହିଁ । ବିଶ୍ୱର ଭବିଷ୍ୟତ ପାଇଁ ସବୁ ପାଓ୍ୱାର ସେଣ୍ଟରକୁ ଏକାଠି ଆଲୋଚନା କରିବା ଦରକାର । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଆମେ ସବୁଠାରୁ ବିପଜ୍ଜନକ ଦଶନ୍ଧିର ସମ୍ମୁଖୀନ ହେଉଛୁ । ଆମ ଭିତରେ ଆମେରିକା ପଶି ଅର୍ଥକୁ ଅନର୍ଥ କରୁଥିବା ସେ ଅଭିଯୋଗ କରିଛନ୍ତି ।

ଆନ୍ତର୍ଜାତୀୟ ନୀତି ବିଶେଷଜ୍ଞଙ୍କ ଏକ ସମ୍ମିଳନୀରେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କୁ ୟୁକ୍ରେନ ବିପକ୍ଷରେ ବିପଜ୍ଜନକ ଯୁଦ୍ଧ କରିବାକୁ ଋଷକୁ ଉତ୍ସାହିତ କରୁଥିବା ସେ କହିଛନ୍ତି । ପୁଟିନ କହିଛନ୍ତି, ପଶ୍ଚିମୀ ରାଷ୍ଟ୍ରଗୁଡ଼ିକ ଯେଉଁ ଖେଳ କରୁଛନ୍ତି ତାହା ବିପଜ୍ଜନକ । ଯଦି ଆବଶ୍ୟକ ପଡ଼େ ତେବେ ସେ ଆମେରିକା ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ । ପୁଟିନ ଚୀନକୁ ତାଙ୍କର ଘନିଷ୍ଠ ବନ୍ଧୁ ବୋଲି କହିଥିବା ବେଳେ ଭାରତକୁ ମଧ୍ୟ ପ୍ରଶଂସା କରିଛନ୍ତି । ପୂର୍ବରୁ ନିଜ ଦେଶର ସୁରକ୍ଷା ପାଇଁ ଯେ କୌଣସିସ୍ତରକୁ ଯିବାକୁ ପୁଟିନ ଘୋଷଣା କରିଥିବା ବେଳେ ହଠାତ୍ ପୁଟିନଙ୍କ ଏଭଳି ବୟାନ ତାଙ୍କ ଭୟକୁ ସ୍ପଷ୍ଟ କରିଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।