କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ: କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

1 min read

ଭୁବନେଶ୍ବର: କ୍ରୀଡାର ବିକାଶ ପାଇଁ ସାରା ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ସରକାରୀ ଦଳ ସହ ବିରୋଧୀ ବି କ୍ରୀଡାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ଆଜି ଗୃହରେ ପ୍ରଶ୍ନକାଳରେ ଗତ କିଛି ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ ହୋଇଥିବା କ୍ରୀଡାର ସର୍ବାଙ୍ଗୀନ ଉନ୍ନତିର ତାଲିକା ପ୍ରଦାନ କରିଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ହକିରୁ ଫୁଟବଲ, ମଲଟି ପରପୋଜ ଷ୍ଟାଡିୟମରୁ ଇଣ୍ଡୋର ହଲ ଯାଏ ଖେଳିବାର ସୁଯୋଗ ଦିଆଯାଇଛି । ଖୁବଶୀଘ୍ର ଏହି ବିକାଶରେ ଆହୁରି କ୍ରିୟାଶୀଳ ହେବାକୁ ଯାଉଛି କଟକର ବାରବାଟୀ ଷ୍ଟାଡିୟମ । ଏଣିକି କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ଅର୍ଥ ଖର୍ଚ୍ଚ କରୁଛନ୍ତି । ଦରକାର ହେଲେ, DMFରୁ ଖର୍ଚ୍ଚ କରାଯାଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ କ୍ରୀଡା ବିକାଶର ଜ୍ୱଳନ୍ତ ଉଦାହରଣ ପାଲଟିଛି ।

କଳିଙ୍ଗ ଷ୍ଟାଡିୟମର ମଡେଲ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କୁ ଗୃହରେ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୁତପୁର୍ବ ପଦକ୍ଷେପ ନେଇଛନ୍ତି । ୨୦୧୮ ଓ ୨୦୨୩ରେ ବିଶ୍ୱ କପ ହକି ଆୟୋଜନ କରି ଗୌରବ ଅର୍ଜନ କରିଛି ଓଡ଼ିଶା । ଏ ଯାଏ ରାଜ୍ୟରେ ୩୫ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୭ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ଯାଜପୁରରେ ବି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯାଇଛି । ଆଗାମୀ ଦିନରେ ଯେଉଁ ସ୍ଥାନର ଖେଳାଳୀ ଦେଶ ପାଇଁ ଗୌରବ ଆଣିବେ, ସେଠାରେ ଆଷ୍ଟ୍ରୋ ଟର୍ଫ ନିର୍ମାଣ ପାଇଁ ପ୍ରସ୍ତାବ ଅଛି ।