ବ୍ରାହ୍ମଣୀ ଛାତିରେ ସେତୁର ସମ୍ଭାର, ଢେଙ୍କାନାଳ ଜିଲ୍ଲାର ବିକାଶରେ ମାଧ୍ୟମ ସାଜିଛି ପାଞ୍ଚଟି ବ୍ରିଜ୍‌

1 min read

ଢେଙ୍କାନାଳ: ବ୍ରାହ୍ମଣୀ ଛାତିରେ ସେତୁର ସମ୍ଭାର । ଗୋଟିଏ ଜିଲ୍ଲାରେ ଗୋଟିଏ ନଦୀ ଉପରେ ପାଞ୍ଚଟି ସେତୁ । ଅଞ୍ଚଳ ଏବେ ବିକାଶମୁଖୀ । ପର୍ଯ୍ୟଟନର ବିକାଶ କରିବ ମହିମା ସେତୁ । ଯୋରନ୍ଦା ମହିମା ପୀଠକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ରାଜ୍ୟ ସରକାର ନକ୍ସା ପ୍ରସ୍ତୁତ କରିଛନ୍ତି । ଗତ ମାସ ୨୯ ତାରିଖରେ 5T ସଚିବ ଭିକେ ପାଣ୍ଡିଆନ ମହିମା ଗାଦି ପରିଦର୍ଶନ ସହିତ ସେତୁ ଉଦଘାଟନ କରିଥିଲେ । ଏହି ସେତୁର ନାଁ ମୁଖ୍ୟମନ୍ତ୍ରୀ ମହିମା ସେତୁ ରଖିଥିବା ବେଳେ ତାଙ୍କ ନିର୍ଦ୍ଦେଶରେ ଏହାକୁ ଲୋକାର୍ପଣ କରିଥିଲେ 5T ସଚିବ ଭିକେ ପାଣ୍ଡିଆନ । ଲୋକାର୍ପିତ ହେବା ପରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ସାଜିଛି ମହିମା ସେତୁ । ଅଞ୍ଚଳରେ ବ୍ୟବସାୟ ଅଭିବୃଦ୍ଧିକୁ ଏହା ଉର୍ଜା ଯୋଗାଇଛି । ଆଗକୁ ରାଷ୍ଟ୍ରୀୟ ଜଳ ମାର୍ଗରେ ସାମିଲ ପାଇଁ ସେତୁର ଉଚ୍ଚତା ୬୫ ମିଟର କରାଯାଇଥିବା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ।

ଏହି ସେତୁ ଦ୍ୱାରା କପିଳାସ ଓ ଯୋରନ୍ଦା ମହିମା ଗାଦି ତଥା ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ଯିବାକୁ ସମୟ ଓ ଖର୍ଚ୍ଚ କମିଛି । ଖଣିଜ ପଦାର୍ଥ ଓ ଅନ୍ୟ ସାମଗ୍ରୀ ପରିବହନରେ ସହାୟକ ହୋଇଛି ସେତୁ । ଏହାକୁ ମିଶାଇ ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀ ଉପରେ ପାଞ୍ଚଟି ସେତୁ ନିର୍ମାଣ ହୋଇଛି । ଢେଙ୍କାନାଳ- ଭୁବନ ମଧ୍ୟରେ ବାଜି ରାଉତ ସେତୁ, ଢେଙ୍କାନାଳ- କାମାକ୍ଷାନଗର ମଧ୍ୟରେ ସାରଙ୍ଗଧର ସେତୁ, ପରଜଙ୍ଗ -ଓଡ଼ାପଡ଼ା ମଧ୍ୟରେ ବଡ଼ କମର ସେତୁ, ପରଜଙ୍ଗରୁ ତାଳଚେର – ଅନୁଗୁଳ ମଧ୍ୟରେ ବହ୍ଲର ସେତୁ ପରେ ଏବେ ମହିମା ସେତୁ ନିର୍ମାଣ ହୋଇଛି ।