ରାଜ୍ୟରେ ଅଛନ୍ତି ୯ ଲକ୍ଷ ୫ ହଜାର ୧୮୪ ଭାଗ ଚାଷୀ, ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ରାଜ୍ୟରେ ଅଛନ୍ତି ୯ ଲକ୍ଷ ୫ ହଜାର ୧୮୪ ଭାଗ ଚାଷୀ । ଚାଷୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଋଣ ପ୍ରଦାନ ସାଙ୍ଗକୁ ଯନ୍ତ୍ରପାତି କିଣାରେ ରିହାତି ଓ ବିହନ ଯୋଗାଣ ଯୋଗାଉଛନ୍ତି ରାଜ୍ୟ ସରକାର । ସେହିପରି ଧାନ କିଣିବାକୁ ସରଳୀକରଣ ହୋଇଛି ବ୍ୟବସ୍ଥା । ତେବେ ସେମାନଙ୍କୁ ଜମି ଅଧିକାର ଦେବା ତର୍କର ବିଷୟ ବୋଲି କହିଛନ୍ତି କୃଷିମନ୍ତ୍ରୀ । ବିଭିନ୍ନ ସମୟରେ ଏହାର ସଂସ୍କାର ପାଇଁ ପଦକ୍ଷେପ ନିଆଯାଉଥିବା ନେଇ କୃଷି ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ଉତ୍ତର ରଖିଛନ୍ତି । ଚାଷୀଙ୍କ ଆୟ ନିର୍ଦ୍ଧାରଣ ସର୍ଭେ ପ୍ରତି ୧୦ ବର୍ଷରେ ହେଉଥିଲା । ସର୍ଭେରେ ଅବହେଳା ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ । ସେହିପରି ଜାତୀୟ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଚାଷୀଙ୍କ ଆୟ ନିର୍ଦ୍ଧାରଣ କରାଯାଇଥାଏ ।

୨୦୧୨ରେ ଚାଷୀଙ୍କ ମାସିକ ଆୟ ୪୯୭୬ ଟଙ୍କା ଥିବା ବେଳେ, ୨୦୧୯ରେ ଏହା ୫୧୧୨ ଟଙ୍କା ରହିଥିଲା । ତେବେ ୨୦୧୨କୁ ୨୦୧୯ ସହ ଚାଷୀଙ୍କ ଆୟ ତୁଳନା ଠିକ ନୁହେଁ । କାରଣ ୨୦୧୮ରେ ତିତଲୀ ଓ ୨୦୧୯ରେ ଫନି ବାତ୍ୟା ଆସିଲା । ସେହିପରି ଖରିଫ ସମୟରେ ମରୁଡ଼ି ଚାଷୀଙ୍କ ଆୟ ବୃଦ୍ଧିକୁ ପ୍ରଭାବିତ କରିଛି । ଏଭଳି ଅସଂଗତି ଦୂର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି କୃଷିମନ୍ତ୍ରୀ । ସମ୍ୱନ୍ୱିତ ଚାଷ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ବିକାଶ ପାଇଁ ୩୯ ଯୋଜନା କରିଛନ୍ତି । ୨୦୧୩-୧୪ରୁ ସ୍ବତନ୍ତ୍ର କୃଷି ବଜେଟ କରାଯିବା ସହ ୬ ଥର କୃଷି କ୍ୟାବିନେଟ ବସି ସାରିଛି । ଏହାସହ ମହିଳା ଚାଷୀଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି କହିଛନ୍ତି କୃଷିମନ୍ତ୍ରୀ ।