୨୨ ପୂର୍ବରୁ ମନ୍ଦିରରୁ ଚୋରି କରିନେଇଥିଲେ ଅଷ୍ଟଧାତୁ ମୂର୍ତ୍ତି, ଆଜି ଫୋପାଡ଼ି ଦେଇ ଗଲେ

କେନ୍ଦ୍ରାପଡ଼ା: ପଞ୍ଚୁପାଣ୍ଡବ ମନ୍ଦିରରୁ ଚୋରି ଘଟଣାରେ ମନ୍ଦିର ନିକଟରେ ଚୋର ଫୋପାଡ଼ି ଦେଲେ ଅଷ୍ଟଧାତୁ ମୂର୍ତ୍ତି । ୨୨ ଦିନ ତଳେ ଡେରାବିଶର ଐତିହାସିକ ପଞ୍ଚୁ ପାଣ୍ଡଵ ମନ୍ଦିରରୁ ଚୋରି ଘଟଣାରେ ନୂଆ ଟୁଇଷ୍ଟ । ବାଇଶି ଦିନ ପରେ ଚୋରି ହୋଇଥିବା ୯ ଗୋଟି ମୂର୍ତ୍ତି ମଧ୍ୟରୁ ୭ଟି ଅଷ୍ଠଧାତୁ ମୂର୍ତ୍ତିକୁ ମନ୍ଦିର ନିକଟରେ ଏକ ବସ୍ତାରୁ ଉଦ୍ଧାର କରାଯାଇଛି  ।

ଜଣେ ବେହେରା ସେବକ ସକାଳୁ ସେହି ବାଟ ଦେଇ ଆସୁଥିବା ବେଳେ ବସ୍ତାକୁ ଦେଖି ସନ୍ଦେହ ପ୍ରକଟ କରିଥିଲେ । ଅଖା ଖୋଲିବାରୁ ଚୋରି ହୋଇଥିବା ୭ଟି ମୂର୍ତ୍ତି ମିଳିଥିଲା । ଚୋର ମୂର୍ତ୍ତି ଫିଙ୍ଗି ଯାଇଥିବା ସନ୍ଦେହ କାରଯାଉଥିବା ବେଳେ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଏମିତି ମିଳିବା ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି ସାଧାରଣ ଲୋକ ।

ଦ୍ୱାପର ଯୁଗର ଐତିହ୍ୟ ପଞ୍ଚୁପାଣ୍ଡବ ମନ୍ଦିରର ସମସ୍ତ ଠାକୁର ଜୀବନ୍ତ । ତେଣୁ ତାଙ୍କୁ ଚୋରି କରି ଚୋର ତିଷ୍ଠି ପାରିଲାନି । ଠାକୁରଙ୍କ ମହିମା ଆଗରେ ଚୋର ହାରିଯାଇ ସମସ୍ତ ମୂର୍ତ୍ତି ଫେରାଇ ଦେଇଥିବା ଚର୍ଚ୍ଚା ହେଉଛି । ଡେରାବିଶ ପୋଲିସ ପହଞ୍ଚି ପରୀକ୍ଷକ ଓ ସ୍ଥାନୀୟ ପୂଜକଙ୍କ ଦ୍ୱାରା ମୂର୍ତ୍ତି ପରଖି ମନ୍ଦିରକୁ ପୁଣି ଫେରାଇ ଦେଇଥିଲେ । ଏବେ ବି ଦୁଇଟି ମୂର୍ତ୍ତି ମିଳିନଥିବାରୁ ଚୋରକୁ ଧରିବାକୁ ପୋଲିସର ପ୍ରୟାସ ଜାରି ରହିଛି ।