ଛାତରେ ଛକି ବସିଥିଲା ମୃତ୍ୟୁ: ମାଆ ଡାକୁଥିଲା ଘରକୁ, ପୁଅ ଚାଲିଗଲା ଆରପାରିକୁ
1 min readଢେଙ୍କାନାଳ: ଲକ୍ଡାଉନ୍ ସରିଲେ ଘରକୁ ଫେରିବି। ଯଦି ସୁବିଧା ହୁଏ ପ୍ରବାସୀ ଫେରୁଥିବା ବସ୍ରେ ମଧ୍ୟ ଫେରି ପାରେ। ହଁ.. ଫେରିଲେ ମୁଁ ଘରକୁ ନଯାଇ କ୍ୱାରେଣ୍ଟାଇନ୍ରେ ରହିବି। ସବୁ ଠିକ୍ଠାକ୍ ହେବା ପରେ ଘରକୁ ଯିବି। ମାଆ ସହ ଫୋନ୍ରେ ଏମିତି କିଛି ଗପୁ ଗପୁ ଚାଲିଗଲା ପୁଅର ଜୀବନ। ଚାରି ମହଲା ଛାତ ଉପରୁ ଖସି ପଡି ପ୍ରାଣ ହରାଇଲା ସୁରତରେ ରହୁଥିବା ଦାଦନ ପୁଅ। ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ କଙ୍କଳି ଗାଁରୁ ଆସିଛି ଏମିତି ଏକ ହୃଦୟ ବିଦାରକ କାହାଣୀ।
ଅନ୍ଧାର ରାତିରେ ଅଲୋକର ଏ ପଦେ ଦି ପଦ କଥା ମାଆ ଆଖିରେ ଆଲୁଅ ଭରି ଦେଉଥିଲା। ମାଆପୁଅ ଭିତରେ ମାଇଲ୍ ମାଇଲ୍ ଦୂରତାକୁ କମାଇ ଦେଉଥିଲା ମୋବାଇଲ୍। ହେଲେ ମିଠାମିଠା କଥା ମଝିରେ ଯେ ମୃତ୍ୟୁ ଛକି ବସିଥିଲା ସେକଥା କିଏ ଜାଣିଥିଲା। ହଠାତ୍ ଅନ୍ଧାର ଘୋଟି ଆସିଥିଲା ଆଲୋକଙ୍କ ଜୀବନରେ। ଏ ଏମିତି ଏକ ଅନ୍ଧାର ଯେଉଁଠୁ ଫେରିବା ଅସମ୍ଭବ ଥିଲା। ଚାରି ମହଲା ଛାତ ଉପରୁ ଗଳି ପଡିଥିଲେ ଆଲୋକ। ଗୋଟିଏ ମୁହୂର୍ତ୍ତ ଶଦ୍ଦ ପାଲଟି ଯାଇଥିଲା ଶବ। ଆଉ କରୋନା କାହାଣୀରେ ଲେଖା ହୋଇଯାଇଥିଲା ଦାଦନ ମୃତ୍ୟୁର ଏ ଲୁହଭରା ଅଧ୍ୟାୟ।
ସେପଟେ ରକ୍ତ ଝରୁଥିଲା ଏପଟେ ମାଆ ଝୁରୁଥିଲା। ବାହୁନା କାନ୍ଦରେ ଭାଙ୍ଗି ଯାଉଥିଲା ଲକ୍ଡାଉନ୍ର ନୀରବତା। କୁମୁଦ ଓ ଅନୁଡି ନାୟକଙ୍କ ସାନପୁଅ ଆଲୋକ। ସ୍ଥାନୀୟ ସ୍କୁଲ୍ରେ ପାଠପଢ଼ା ପରେ ଗରିବୀ ବାନ୍ଧିଥିଲା ପାଠରେ ଡୋରୀ। ନିଜେ ବଞ୍ଚିବେ ଆଉ ପରିବାରକୁ ବଞ୍ଚାଇ ରଖିବେ। ସେଥିପାଇଁ ପୁଅ କାଟିଥିଲା ସୁରତର ଟିକେଟ୍। ଜଟିଳ ସୂତାକୁ ସଜାଡୁ ସଜାଡୁ ସେ ଖୋଜୁଥିଲେ ଏକ ସରଳ ଜୀବନର ଖିଅ। ହେଲେ ଲକ୍ଡାଉନ୍ର ଅନ୍ଧାର ରାତିରେ ଅଡୁଆ ସୂତାର ଖିଅରେ ହଠାତ୍ ପଡି ଯାଇଥିଲା ଜୀବନର ଗଣ୍ଠି।
ହୁଏତ ଜୀବନ ଥିଲେ ଏମିତିଆ ଏକ ପ୍ରବାସୀ ଗାଡ଼ିରେ ବସି ପୁଅ ଫେରୁଥାନ୍ତା ଗାଁକୁ। ଆଲୋକ ଫେରିଥାନ୍ତା ଆଶା ବି ଫେରିଥାନ୍ତା। ହେଲେ ଏବେ ଜୀବିତ ନୁହେଁ ମୃତପୁଅକୁ ମାଗୁଛି ମାଆ। ଶବକୁ ଶେଷ ଦର୍ଶନ କରିବାକୁ ଚାହିଁ ବସିଛି ଗାଁ। ଏବେ ଅପେକ୍ଷା…ମାସ୍କ ପିନ୍ଧା ପୁଅର ମୃତଦେହ ଫେରିଲେ ଗାଁ ମଶାଣିର ବାଟ ଧରିବେ ମାଲଭାଇ।…
https://www.facebook.com/NandighoshaTV/videos/547075279328999/
ହେଲେ ଅଫେରା ରାଇଜରୁ ପୁଅ ତ ଆସୁନି, ଆସୁଛି ତା ଶବ। ଗୁଜୁରାଟ ସରକାରଙ୍କ ସହ ସ୍ଥାନୀୟ ପ୍ରଶାସନ କଥାବାର୍ତ୍ତା ହୋଇ ଆଲୋକଙ୍କ ମୃତଦେହ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛି।