ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକା RTS, S-AS01କୁ ମିଳିଲା WHOର ଅନୁମତି

1 min read

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକା RTS, S-AS01କୁ ମିଳିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମତି। ଏନେଇ ସୂଚନା ଦେଇଛନ୍ତି WHOର ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେସସ। ଫଳରେ ବିଶ୍ୱରେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପୃଷ୍ଠା ଯୋଡି ହୋଇଛି। ପ୍ରତିବର୍ଷ ବିଶ୍ୱରେ କେବଳ ମ୍ୟାଲେରିଆରେ ୪ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥାଏ। ସେମାନଙ୍କ ମଧ୍ୟରେ ଅଧିକାଂଶ ଥାନ୍ତି ଆଫ୍ରିକୀୟ ଶିଶୁ। ଏହି ଟିକାର ପାଇଲଟ ପ୍ରୋଗ୍ରାମ ତଥା କ୍ଲିନିକାଲ ଟ୍ରାଏଲ ୨୦୧୯ରୁ ଘାନା, କେନିଆ ଓ ମାଲାଓ୍ୱିରେ ଚାଲିଥିଲା। ପ୍ରାୟ ୨୦ ଲକ୍ଷ ଡୋଜ ବିଭିନ୍ନ ବର୍ଗର ଲୋକଙ୍କୁ ଦିଆଯାଇଥିଲା। ଏହି ଟିକା ଜିଏସକେ ଫାର୍ମାସ୍ୟୁଟିକାଲ ଦ୍ୱାରା ତିଆରି ହୋଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଏଣିକି ଏହି ଟିକାକୁ ସାରା ବିଶ୍ୱରେ ଦିଆଯାଇପାରିବ। ଦୁଇ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଏହି ଟିକାର ୪ଟି ଡୋଜ ଦେବା ଲାଗି WHO ପରାମର୍ଶ ଦେଇଛି। ରିପୋର୍ଟ ଅନୁସାରେ, ପ୍ରତି ୨ ମିନିଟରେ ଜଣେ ଶିଶୁ ମ୍ୟାଲେରିଆରେ ପ୍ରାଣ ହରାଇଥାଏ। କେବଳ ଉପସାହରୀୟ ଆଫ୍ରିକୀୟ ରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟାର ଅଧା ମୃତ୍ୟୁ ଘଟିଥାଏ। ମ୍ୟାଲେରିଆର ଲକ୍ଷଣ ଗୁଡିକ ହେଉଛି ଜ୍ୱର, ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ଅଧିକ ଝାଳ ବାହାରିବା ଇତ୍ୟାଦି। ଏହି ଟିକା ନେବା ଦ୍ୱାରା ଅତି ଗୁରୁତର ମ୍ୟାଲେରିଆ ବିପଦରୁ ମୁକ୍ତି ମିଳିଥାଏ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରତିଷେଧକ ବିଭାଗ ନିର୍ଦ୍ଦେଶକ କେଟ୍ ଓ ବ୍ରିଏନ।

ପ୍ରାଣ ହରାଉଥିବା ଶିଶୁଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଶିଶୁ ମଶାରି ବ୍ୟବହାର କରି ନଥାନ୍ତି ବୋଲି ଜଣାଯାଇଛି। ଅଧିକ ବିପଦର କାରଣ ସାଜୁଥିବା ମ୍ୟାଲେରିଆର ଭାରିଆଣ୍ଟର ନାଁ ପ୍ଲାଜମୋଡିଅମ ଫାଲସିପୋରମ। ଯାହାକି ମସ୍ତିଷ୍କ ଜ୍ୱର ମୃତ୍ୟୁର କାରଣ ହୋଇଥାଏ। ଏହି ଟିକା ବିଶ୍ୱ ସ୍ୱାସ୍ଥ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି କହିଛନ୍ତି WHO ମ୍ୟାଲେରିଆ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପେଦ୍ରୋ ଅଲୋନସୋ।

ଉପସାହରୀୟ ଆଫ୍ରିକାରେ ବାର୍ଷିକ ୧୨ ବିଲିୟନ ଡଲାରର କ୍ଷତିର କାରଣ ହୋଇଥାଏ ମ୍ୟାଲେରିଆ। ଫାଇଜର ସହ ମିଳିତ ଭାବେ କୋଭିଡ ଟିକା ବାହାର କରିଥିବା ଜର୍ମାନୀର ବାୟୋ ଏନଟେକ ବି ଆସନ୍ତା ବର୍ଷରୁ ଏମଆରଏନଏ ପଦ୍ଧତି ଜରିଆରେ ମ୍ୟାଲେରିଆ ଟିକାର ଟ୍ରାଏଲ ଆରମ୍ଭ କରିବାକୁ ଘୋଷଣା କରିଛି।

Leave a Reply