ବିଦାୟ ନେଲା ୨୦୨୩, ନୂଆ ଆଶା ନୂଆ ଉତ୍ସାହ ନେଇ ଆସିଲା ୨୦୨୪

ଭୁବନେଶ୍ୱର : ବିଦାୟ ନେଲା ୨୦୨୩, ପାଦ ଥାପିଲା ୨୦୨୪ । ନୂଆବର୍ଷକୁ ସ୍ବାଗତ କଲେ ବିଶ୍ବବାସୀ । ମଧ୍ୟରାତ୍ରୀରେ ଆକାଶରେ ଝଲସି ଉଠିଥିଲା ଖୁସିର ରଙ୍ଗ ବେରଙ୍ଗ ଦୃଶ୍ୟ । ମଧୁମୟ ସ୍ମୃତିକୁ ମନେ ପକାଇ ଓ କିଛି ତିକ୍ତ ଅନୁଭୂତି ଭୁଲିଯାଇ ସ୍ବାଗତ ହେଲା ନୂଆବର୍ଷ । ନୂଆ କିଛି କରିବା ପାଇଁ ସଂକଳ୍ପ ନେଇ ଆରମ୍ଭ ହୋଇଛି ୨୦୨୪ । ଜିରୋ ନାଇଟ୍ ସେଲିବ୍ରେସନ ସହ ହୋଟେଲ୍ ଓ ବାରରେ ହେଲା ବ୍ୟାପକ କାର୍ଯ୍ୟକ୍ରମ ।

ସିନ୍ଦୁରା ଫାଟି ପୃଥିବୀକୁ ସଜେଇ ଦେଇଛି ନୂଆ ସକାଳର ସୁନେଲି ସୂର୍ଯ୍ୟ । ସବୁଠି ପ୍ରକମ୍ପିତ ହେଉଛି ହାପି ନ୍ୟୁ ଇୟର । ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଗହଳି । ନୂଆବର୍ଷକୁ ବେଶ ଆଡମ୍ବରରେ ପାଳନ କରିଛନ୍ତି ଲୋକେ । ପାର୍କ, କ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ସହ ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଖାଲି ଓଡ଼ିଶାରେ ନୁହେଁ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଏକାଠି ହୋଇଛନ୍ତି ଲୋକେ । ସବୁଠି ନବବର୍ଷକୁ ଜୋରଦାର ସ୍ବାଗତ କରିଛନ୍ତି ।