ଆଜିଠୁ ଆରମ୍ଭ ବିଶ୍ୱ ଅର୍ଥନୈତିକ ମଞ୍ଚର ବୈଠକ: କୋଭିଡ ସ୍ଥିତିରେ ଆର୍ଥିକ ସୁଧାର ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ଅର୍ଥନୈତିକ ମଞ୍ଚର ବୈଠକ। ପ୍ରତ୍ୟେକ ବର୍ଷ ସୁଇଜରଲ୍ୟାଣ୍ଡର ଡାଭୋସରେ ବୈଠକ ବସୁଥିବା ବେଳେ ପ୍ରଥମ ଥର ପାଇଁ ଏଥର ବୈଠକ ଭିଡିଓ କନଫରେନ୍ସିଂରେ ହେବ। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ। ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଅଭିଭାଷଣ ଦେବେ।

ସୂଚନା ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଏହି ବୈଠକରେ ଯୋଗ ଦେବେ ନାହିଁ । ଚୀନ ରାଷ୍ଟ୍ରପତି ମଧ୍ୟ ବୈଠକରେ ଅଭିଭାଷଣ ରଖିବେ। ବୈଠକରେ ବିଶ୍ୱର ଆର୍ଥିକ ଅବସ୍ଥା ନେଇ ଆଲୋଚନା ହେବ। ଏଥିସହ କୋଭିଡ ସ୍ଥିତିରେ କିପରି ଆର୍ଥିକ ସ୍ଥିତିର ସୁଧାର କରିହେବ ସେନେଇ ବିଭିନ୍ନ ଦେଶର ନେତା ମତ ରଖିବେ।

ସୂଚନାଯୋଗ୍ୟ, ବିଶ୍ୱ ଅର୍ଥନୀତି ମଞ୍ଚର ବୈଠକ ପ୍ରତ୍ୟେକ ବର୍ଷ ଏହି ସମୟରେ ଡାଭୋସରେ ଆୟୋଜିତ ହୋଇଥାଏ। ଏଥିପାଇଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ହଜାର ହଜାର ସଂଖ୍ୟାରେ ଲୋକ ସେମାନଙ୍କ ଦାବି ନେଇ ପ୍ରତିବାଦ କରିଥାନ୍ତି। ହେଲେ ଏଥର ଭିଡିଓ କନଫରେନ୍ସିଂରେ ହେଉଥିବାରୁ ଡାଭୋସର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ମଧ୍ୟ ହେଉଛି।

Leave a Reply