ଆମ୍ବୁଲାନ୍ସ ଡକାଇବା ପାଇଁ କୁକୁରକୁ ମାଆ କଲେ !

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍‌ସ । ଫୋନ୍‌ ପାଇବା ମାତ୍ରେ ଦେବଦୂତ ଭଳି ପହଞ୍ଚିଯାଏ । ଅସୁସ୍ଥ ବା ଆହତଙ୍କୁ ତୁରନ୍ତ ନେଇଯାଏ ହସ୍ପିଟାଲ, ବଞ୍ଚିଯାଏ ଜୀବନ । କିନ୍ତୁ ଏହି ସେବା ଧୀରେଧୀରେ ଦିଗହରା ହେଉଛି । ମିଛ କଲ୍‌ର ଜାଲରେ ପଡ଼ି ଆମ୍ବୁଲାନ୍ସ କର୍ମଚାରୀ ହଇରାଣ ହେଉଛନ୍ତି । ନିକଟରେ ଏମିତି ଏକ କଲ ପାଇ ଅକଳରେ ପଡ଼ିଯାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର । କାରଣ ମଣିଷ ପାଇଁ ନୁହେଁ, କୁକୁରକୁ ମା’ ଦର୍ଶାଇ ହସ୍ପିଟାଲ ନେବାକୁ ଜଣେ ମହିଳା ଆମ୍ବୁଲାନ୍‌ସ ଡାକିଥିଲେ ।

‘ମୋ ବୋଉର ଦେହ ସିରିୟସ୍‌ । ତୁରନ୍ତ ଆମ୍ବୁଲାନ୍ସ ଦରକାର । ଶୀଘ୍ର ପଠାନ୍ତୁ ।’ ଏମିତି ଏକ କଲ୍‌ ପାଇ ତୁରନ୍ତ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗିରିଙ୍ଗାପୁରରେ ପହଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ । କିନ୍ତୁ ଘଟଣାସ୍ଥଳରେ ପହଞ୍ଚି ଅକଳରେ ପଡିଥିଲେ ଆମ୍ବୁଲାନ୍ସ କର୍ମଚାରୀ । କାରଣ ମା’ ନୁହନ୍ତି, ଏକ କୁକୁରକୁ ଆମ୍ବୁଲାନ୍‌ସରେ ହସ୍ପିଟାଲ ନେବା ପାଇଁ ଅପେକ୍ଷା କରିଥିଲେ ଜଣେ ମହିଳା । ଆମ୍ବୁଲାନ୍ସ କର୍ମଚାରୀ ଅବାକ୍‌ ହୋଇଯାଇଥିଲେ ।

ଏବଂ ଉକ୍ତ ମହିଳାଙ୍କୁ ଏବିଷୟରେ ପଚରା ଯିବାରୁ ମହିଳା ଜଣଙ୍କ ଯୁକ୍ତି କରି କୁକୁରକୁ ତାଙ୍କ ମାଆ ବୋଲି ଦର୍ଶାଇଥିଲେ । ଏବଂ କହିଥିଲେ ସେ ମୋ ମା’ ତା ଦେହ ଭଲ ନାହିଁ । ସେ ହସ୍ପିଟାଲ ଯିବ । ମହିଳାଙ୍କର ଏଭଳି ବ୍ୟବହାର ଦେଖି ଅକଳରେ ପଡିଥିଲେ କର୍ମଚାରୀ । ଆମ୍ବୁଲାନ୍ସରେ କେବଳ ମଣିଷ ହସ୍ପିଟାଲ ଯାଇପାରିବେ କହି ଫେରିଆସିଥିଲା ଆମ୍ବୁଲାନ୍ସ ।

ତେବେ କେବଳ ଏଇ ଗୋଟିଏ କଲ୍‌ ନୁହେଁ । ୧୦୮ ଆମ୍ବୁଲାନ୍‌ସ କଲ ସେଣ୍ଟରକୁ ଆସୁଛି ଏମିତି ହଜାର ହଜାର ମିଛ କଲ୍‌ । କେବେ କୁକୁର ତ କେବେ ମାଙ୍କଡ଼ । ପୁଣି କେତେବେଳେ ଗାଈ ଆହତ କି ଅସୁସ୍ଥ ହେଲେ ୧୦୮ ଆମ୍ବୁଲାନ୍‌ସକୁ ଲୋକ ଫୋନ କରୁଛନ୍ତି । ଏଭଳି ମିଛ କଲ ଆଟେଣ୍ଡ କରିବାକୁ ଯାଇ ପ୍ରକୃତ କଲ୍‌ରେ ଫେଲ ମାରୁଛି ଆମ୍ବୁଲାନ୍ସ ସେବା । କେତେକ ନିର୍ଦ୍ଦିଷ୍ଟ ନମ୍ବରରୁ ଆସୁଛି ଏଭଳି ହଜାର ହଜାର ମିଛ କଲ୍‌ । ଏନେଇ ଅନେକ ଥର ଥାନାରେ ଏତଲା ଦେଇଛି ୧୦୮ ଆମ୍ବୁଲାନ୍‌ସ ପରିଚାଳନା ସଂସ୍ଥା । କିନ୍ତୁ ନା ହେଉଛି କାର୍ଯ୍ୟାନୁଷ୍ଠାନ ନା ବଦଳୁଛି ଲୋକଙ୍କ ମାନସିକତା ।

Leave a Reply