ଆଜିଠୁ ରାଜ୍ୟରେ ବଦଳିଯିବ ପାଗ, ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଦଳିଯିବ ପାଣିପାଗ । ତାତିରୁ ମିଳିବ ତ୍ରାହି । କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରାରେ ହ୍ରାସ ପାଇବ । ସ୍ୱାଭାବିକଠାରୁ ୨ ଡିଗ୍ରୀ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ତାତିରୁ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିବନି ଆଶ୍ବସ୍ତି । ଆହୁରି ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣରେ ଅସହ୍ୟ ତାତି ଜାରି ରହିବ ବୋଲି ସତର୍କତା ଜାରି ହୋଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ବଢୁଛି ଭୟ । ୬ରେ ଦକ୍ଷିଣ ଆଣ୍ଡାମାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେବାର ଅଧିକ ସମ୍ଭାବନା ରହିଛି । ଏହା ୭ରେ ବାତ୍ୟାର ରୂପ ନେଇ ୧୦ ତାରିଖରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ବାତ୍ୟା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ହେବାର ସମ୍ଭାବନା ରହିଛି । ବାତ୍ୟା ସମୟରେ ଘଣ୍ଟାପ୍ରତି ସର୍ବାଧିକ ଶହେ କିଲୋମିଟର ବେଗରେ ପବନ ସାଙ୍ଗକୁ ୬୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ବାତ୍ୟା ସୃଷ୍ଟି ନେଇ ଏବେ ପାଗ ଅନୁକୁଳ ରହିଛି । ସମୁଦ୍ରର ତାପମାନ ସହ ବାୟୁମଣ୍ଡଳରେ ଆଦ୍ରତା ରହିଛି । କିନ୍ତୁ ଲଘୁଚାପ ପରେ ହିଁ ଚିତ୍ର ସ୍ପଷ୍ଟ ହେବ ।