ଆଜିଠୁ ରାଜ୍ୟରେ ବଦଳିବ ପାଗ, ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଦଳିବ ପାଗ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାକୁ ମିଳିବ ଆଶ୍ବସ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ପୂର୍ବ ଝାଡଖଣ୍ଡରୁ ବାହାରି ଓଡ଼ିଶା ମଧ୍ୟଦେଇ ସୃଷ୍ଟି ହୋଇଥିବା ନିମ୍ନ ଚାପରେଖା ଏବଂ ଗୁରୁଚାପବଳୟ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଆଜି ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ଆସନ୍ତାକାଲି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ ସମେତ ୨୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୨୦ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ । ତେବେ ବର୍ଷା ସତ୍ତ୍ବେ ଅଧିକାଂଶ ଜିଲ୍ଲାରେ ୪୦ ଉପରେ ରହିବ ପାରଦ । ଏଥିପାଇଁ ୯ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଆଲର୍ଟ ଜାରି କରାଯାଇଛି ।