ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ, ମେଘମୁକ୍ତ ଆକାଶ ସହ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର: ଦୂର ହେଲା ବାତ୍ୟା ଭୟ । ବାତ୍ୟା ସ୍ଥଳଭାଗ ଛୁଇଁ ସାରିଥିବାରୁ ଓଡ଼ିଶାର ସବୁ ବନ୍ଦରରୁ ବିପଦ ସଙ୍କେତ ଉଠାଇ ଦିଆଯାଇଛି । ଆସନ୍ତାକାଲିଠୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବାର ସମ୍ଭାବନା ରହିଛି । ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗର ମିଜାଜ୍ । ମେଘମୁକ୍ତ ଆକାଶ ସହ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଥିତି ସମାନ ରହିଛି । ଦୁଇଦିନ ଭିତରେ ସବୁ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ହେବ । ୧୫ ତାରିଖ ବେଳକୁ ସ୍ୱାଭାବିକଠାରୁ ଉପରମୁହାଁ ହେବ ପାରଦ । ଫଳରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ପହଞ୍ଚି ପାରେ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।