ଦିନକ ପରେ ରାଜ୍ୟରେ ବଦଳିବ ପାଗ, ୧୬ରୁ ପୁଣି କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର: ତାତିରେ ଲାଗିବ ବ୍ରେକ୍। ଦିନକ ପରେ ରାଜ୍ୟରେ ବଦଳିବ ପାଗ। ଉପକୂଳ ସମେତ ଦକ୍ଷିଣ ଓଡ଼ିଶାକୁ ମିଳିବ ତ୍ରାହି । ୧୬ରୁ ପୁଣି ଆରମ୍ଭ ହେବ କାଳବୈଶାଖୀ ତାଣ୍ଡବ। ଘଡ଼ଘଡ଼ି ବିଜୁଳି ସହ ଝଡ଼ ବର୍ଷା ନେଇ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ବାୟୁର ପ୍ରଭାବ କମିଛି। ଏହାସହ ଏକ ନିମ୍ନ ଚାପ ରେଖା ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ତାତିରେ ବ୍ରେକ୍ ଲାଗିବା ସହ ପୁଣି କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ,, ପୁରୀ, ଖୋର୍ଦ୍ଧା, ଅନୁଗୁଳ ସହ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

ଅନ୍ୟପକ୍ଷରେ ରାଜ୍ୟର ଅଧିକାଂଶ ସହରରେ ଜାରି ରହିଛି ତାତିର ଅଘୋଷିତ କର୍ଫ୍ୟୁ । ଆଜି ବି ପଶ୍ଚିମ ଓଡ଼ିଶା ସ୍ଥିତି ସାଂଘାତିକ ରହିଛି। ଅଧିକାଂଶ ଜିଲ୍ଲାରେ ସ୍ବାଭାବିକଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିଛି। ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହ ପାଇଁ ୬ଜିଲ୍ଲାକୁ ହିଟଓ୍ବେଭ୍ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଏବଂ ଦେବଗଡ ଜିଲ୍ଲାରେ ହଟ୍ ଓ୍ବେଦର କଣ୍ଡିସନ ରହିବ। ଗତକାଲି ବାରିପଦା ବିଶ୍ବର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଥିବା ବେଳେ ଝାରସୁଗୁଡାରେ ବି ଲଗାତାର ଗ୍ରୀଷ୍ମ ପ୍ରବାହ ବଢିଛି । ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ମାର୍କ ଜାରି କରିଛି ପାଣିପାଗ କେନ୍ଦ୍ର। ସେପଟେ କାଲି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଅଂଶୁଘାତ ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।