spot_img

Latest Posts

ରହସ୍ୟ ଘେରରେ ୨୦ ବର୍ଷର ହତ୍ୟା: ପ୍ରମାଣ ଦେଲେ ୧୮ କୋଟି ପୁରସ୍କାର

ଓ୍ବାଶିଂଟନ୍: ୨୦ ବର୍ଷ ତଳର ହତ୍ୟା । ଏବେ ବି ଉଠି ପାରୁନି ପରଦା । ଦୁଇ ଦଶନ୍ଧି ଧରି ରହସ୍ୟ ଘେରରେ । ନ୍ୟାୟିକ ବ୍ୟବସ୍ଥା ଉପରେ ହୋଇଥିବା ଏହି ଆକ୍ରମଣ ଆଜି ବି ଆମେରିକା ତଦନ୍ତ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରୁଛି । ହତ୍ୟା ସମ୍ପର୍କୀତ ପ୍ରମାଣ ଦେଲେ ମିଳିବ ୨.୫ ମିଳିୟନ ଅର୍ଥାତ ଭାରତୀୟ ମୁଦ୍ରାରେ ୧୮ କୋଟି ଟଙ୍କା ପୁରସ୍କାର ।

ଆମେ କହୁଛୁ ଆମେରିକୀୟ ଓକିଲ ଥୋମାସ ଓ୍ବେଲସଙ୍କ କଥା । ୨୦୦୧ରେ ଅଜ୍ଞାତ ବ୍ୟକ୍ତି ଘରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲା । ଅପରାଧୀ ଏତେ ଚାଲଖ ଯେ, ନା ଛାଡି ଥିଲା କୌଣସି ପ୍ରମାଣ, ନା ଥିଲେ କେହି ପ୍ରତକ୍ଷ୍ୟଦର୍ଶୀ ।

ଥୋମାସଙ୍କୁ କିଏ ମାରିଲା ? କାହିଁକି ମାରିଲା ? ତା’ର ଟେର ପାଉନି ଆମେରିକା ପୋଲିସ ।

ହତ୍ୟାର କାରଣ କ’ଣ ହୋଇପାରେ ?

ଏତେଦିନ ହେବ ରହସ୍ୟ ଭିତରେ ଥିବା ଏହି ହତ୍ୟାକାଣ୍ଡକୁ ନେଇ ଭିନ୍ନ ଭିନ୍ନ କାରଣ କୁହାଯାଉଛି । ସିଆଟଲ୍ ଟାଇମ୍ସ ଅନୁସାରେ ଏଫବିଆଇ ଲମ୍ବା ସମୟ ଧରି ବିଶ୍ବାସ କରି ଆସୁଛି, ଜଣେ ପାଇଲଟ୍ ଥୋମାସଙ୍କୁ ହତ୍ୟା କରିଥାଇ ପାରେ । କାରଣ ତାଙ୍କ ଉପରେ ଥୋମାସ ଠକେଇ ମାମଲା ଚଲାଇଥିଲେ । ତାଙ୍କୁ ମାରିବାକୁ ସମ୍ପୃକ୍ତ ପାଇଲଟ୍ ହତ୍ୟାକାରୀଙ୍କୁ ହାୟର କରିଥାଇପାରନ୍ତି । ସେହିପରି ଡ୍ରଗ୍ସ ଚୋରାଚାଲାଣ ମାମଲାର ମଧ୍ୟ ଥୋମାସ୍ ଓକିଲ ଥିଲେ । ଏହା ମଧ୍ୟ ତାଙ୍କ ମୃତ୍ୟୁର କାରଣ ହୋଇପାରେ । ହେଲେ ପ୍ରକୃତ ସତ କ’ଣ ଆଜି ବି ରହସ୍ୟ ଭିତରେ ରହିଛି ।

ଥୋମାସଙ୍କ ହତ୍ୟା ନ୍ୟାୟ ବ୍ୟବସ୍ଥା ଉପରେ ଆକ୍ରମଣ

ସିଆଟଲ୍ ଫେଡେରାଲର ଓକିଲ ଥୋମାସଙ୍କ ମର୍ଡର ମିଷ୍ଟ୍ରି ପ୍ରମାଣ ଦେବାକୁ ଫେଡେରାଲ ତଦନ୍ତକାରୀ ଦଳ ୧୮ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ପୂର୍ବରୁ ଏହି ପୁରସ୍କାର ରାଶି ୧୧ କୋଟି ଟଙ୍କା ଥିଲା ।

ଡେଲି ମେଲ୍ ରିର୍ପୋଟ ଅନୁସାରେ ୪୯ ବର୍ଷୀୟ ଥୋମାସଙ୍କୁ ୨୦୦୧ ଅକ୍ଟୋବର ୧୧ ତାରିଖରେ ହତ୍ୟା କରାଯାଇଥିଲା । ଓ୍ବେଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ଅଫ୍ ଓ୍ବାଶିଂଟନର ୟୁଏସ ଆଟର୍ଣ୍ଣି ନିକୋଲସ ବ୍ରାଉନ ପୁରସ୍କାର ରାଶି ବଢ଼ାଯିବା ଘୋଷଣା କରିଛନ୍ତି ।

ନିକୋଲସ କହିଛନ୍ତି, ‘‘ଏହି ଅପରାଧ ପାଇଁ ୨୦ ବର୍ଷ ବହୁତ ଅଧିକା । ଆମେରିକା ନ୍ୟାୟ ବ୍ୟବସ୍ଥା ଉପରେ ହୋଇଥିବା ଏହି ଆକ୍ରମଣ ଏବେ ବି ରହସ୍ୟ ଭିତରେ ରହିଛି । ଦୁଇ ଦଶନ୍ଧି ବିତି ଯାଇଥିଲେ ବି ନ୍ୟାୟ ବିଭାଗ ଏହି ରହସ୍ୟମୟ ହତ୍ୟାର ତଦନ୍ତ କରିବାକୁ ପ୍ରତିବଦ୍ଧ ।

ସୂଚନାଯୋଗ୍ୟ, ନିକୋଲସ ହେଉଛନ୍ତି ଏହି ହତ୍ୟା ମାମଲାର ଷଷ୍ଠ ଓକିଲ । ତାଙ୍କ ମତରେ ତଦନ୍ତର ଅଗ୍ରଗତିକୁ ପୁରସ୍କାର ରାଶି ନୂଆ ଦିଗ ଦେଇପାରେ ।

Latest Posts

Don't Miss