ବିଦେଶୀ ପର୍ଯ୍ୟଟକ ଓ ଯାତ୍ରୀଙ୍କ ଉପରୁ କଟକଣା ହଟାଇଲା ଆମେରିକା

ଓ୍ବାସିଂଟନ: ବାଇଡେନ୍ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଦୀର୍ଘ ୨୦ ମାସ ପରେ ଆମେରିକା ବିଦେଶୀ ପର୍ଯ୍ୟଟକ ଓ ଯାତ୍ରୀଙ୍କ ଲାଗି କଟକଣା ପ୍ରତ୍ୟାହାର କରିଛି । ଏଣିକି ସମ୍ପୂର୍ଣ୍ଣ କୋଭିଡ ଡୋଜ ନେଇଥିବା ଲୋକ ଆମେରିକା ଯାଇପାରିବେ । ଫଳରେ ଦୀର୍ଘ ଦିନ ଧରି ପରିବାର, ଜ୍ଞାତି ପରିଜନଙ୍କ ସହ ଏକାଠି ହୋଇପାରୁ ନଥିବା ଲୋକେ ଉପକୃତ ହେବେ । ଏହା ସହ କୂଟନୈତିକ, ବାଣିଜ୍ୟିକ, ପର୍ଯ୍ୟଟନଗତ ସମ୍ପର୍କ ମଧ୍ୟ ସାରା ବିଶ୍ବ ସହ ଯୋଡି ହେବ ।

କୋଭିଡର ଭୟାବହତା ଯୋଗୁଁ ଗତବର୍ଷ ପ୍ରଥମ ଭାଗରେ ତତକାଳୀନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହି କଟକଣା ଜାରି କରିଥିଲେ । ତାଙ୍କ ପରେ ରାଷ୍ଟ୍ରପତି ଜୋ ବାଇଡେନ ଏହି କଟକଣା ପ୍ରତ୍ୟାହାର କରିଛନ୍ତି । ଆମେରିକାର ଏହି କଟକଣା ଯୋଗୁଁ ସାରା ବିଶ୍ବର ଲକ୍ଷ ଲକ୍ଷ ଲୋକ ସମସ୍ୟାରେ ପଡିଥିଲେ । ବିଶେଷ କରି ୟୁରୋପ, ବ୍ରିଟେନ, ଚୀନ, ଭାରତ, ମେକ୍ସିକୋ ଓ କାନାଡା ପକ୍ଷରୁ ତୀବ୍ର ବିରୋଧ ହୋଇ ଆସୁଥିଲା ।

ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ କୋଟି ୬ ଲକ୍ଷରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ହେଲାଣି ୫୦ ଲକ୍ଷ ୬୪ ହଜାର । ଏକ ନମ୍ବରରେ ଥିବା ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୭୩ ଲକ୍ଷ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେ ୭ ଲକ୍ଷ ୭୫ ହଜାରରୁ ଅଧିକ ଲୋକ ।

Leave a Reply