ଋଷ-ୟୁକ୍ରେନ ଯୁଦ୍ଧ: ଶାନ୍ତି ପ୍ରତିଷ୍ଠା ଲାଗି ଦୁଇ ଦେଶର ରାଷ୍ଟ୍ରପତିଙ୍କୁ ଆହ୍ୱାନ ଦେଲେ ଜାତିସଂଘ ମହାସଚିବ

1 min read

କିଭ୍: ତୁରନ୍ତ ଯୁଦ୍ଧର ଅବସାନ କରି ପୂର୍ବସ୍ଥିତିକୁ ଫେରିବା ଲାଗି ଋଷ ଓ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଆହ୍ୱାନ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଉଦ୍ଦେଶ୍ୟରେ ଗୁଟେରସ କହିଛନ୍ତି- ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଅବସାନ ଲାଗି ସହମତି ପ୍ରକାଶ ପାଇଲେ ୟୁକ୍ରେନରୁ ଶସ୍ୟ ରପ୍ତାନି ନିରବଚ୍ଛିନ୍ନ ଜାରି ରହିବ । ୟୁକ୍ରେନର ଲିଭିବରେ ଜେଲେନସ୍କି ଓ ତୁର୍କୀର ନେତାଙ୍କ ସହ ଆଲୋଚନା କରିଛନ୍ତି ଗୁଟେରସ ।

ଗୁଟେରସ କହିଛନ୍ତି- ୟୁକ୍ରେନ ବନ୍ଦରରୁ ବର୍ତ୍ତମାନ ସୁଦ୍ଧା ୨୧ଟି ଜାହାଜ ଶସ୍ୟ ନେଇ ବିଭିନ୍ନ ଦେଶକୁ ଯାତ୍ରା କରିଛନ୍ତି । ତେବେ ଏହି ଧାରା ବଜାୟ ରଖିବା ଲାଗି ସେ ଆହ୍ବାନ ଦେଇଛନ୍ତି । ଏହା ସହ ୟୁରୋପର ସର୍ବବୃହତ ଆଣବିକ ପ୍ଲାଣ୍ଟ ଜେପୋରଜିୟାର ସୁରକ୍ଷା ଲାଗି ଦୁଇ ରାଷ୍ଟ୍ର ଗୁରୁତ୍ବ ଦେବାକୁ ସେ ଆହ୍ବାନ ଦେଇଛନ୍ତି । ତେଣେ ଆଉ ଏକ ଚେର୍ଣ୍ଣୋବିଲ ପରିସ୍ଥିତି ସୃଷ୍ଟି ନ କରିବା ଲାଗି ଆହ୍ବାନ ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ରିସେପ ତାୟିପ ଏର୍ଡୋଗାନ ।